ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆଜିଠୁ ଆରମ୍ଭ ହେଉଛି । ପ୍ରଥମ ମୁକାବିଲା ବର୍ମିଂହାମର ଏଜବାଷ୍ଟନରେ ଖେଳାଯିବ । ପ୍ରଥମ ମୁକାବିଲାରେ ଘରୋଇ ଦଳକୁ ମାତ୍ ଦେବା ପାଇଁ ଟିମ୍ ଇଣ୍ଡିଆ ବେଶ ଝାଳବୁହା ଅଭ୍ୟାସ କରିଛି। ମାତ୍ର ଏହି ଅଭ୍ୟାସ ସେସନରେ ଏମିତି କିଛି ଦେଖିବାକୁ ମିଳିଛି, ଯାହାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି । ତେଣୁ ପ୍ରଶ୍ନ ଉଠୁଛି ଟିମ୍ ଇଣ୍ଡିଆରେ କଣ ସବୁ କିଛି ଠିକ୍ ଅଛି ? ଏହି ପ୍ରଶ୍ନ ଏଥିପାଇଁ ଉଠିଛି କାରଣ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ବିରାଟ କୋହଲି ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉ ନାହାନ୍ତି । ଟାଇମ୍ସ ନାଓର ରିପୋର୍ଟ ମୁତାବକ ବର୍ମିଂହାମରେ ଅଭ୍ୟାସ ସେସନ ସମୟରେ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ କୌଣସି ପ୍ରକାରର ଆଲୋଚନା ହୋଇ ନାହିଁ ।
ଋିପୋର୍ଟ ମୁତାବକ ଗମ୍ଭୀର ଏଜବାଷ୍ଟନରେ ହୋଇଥିବା ଅଭ୍ୟାସ ସେସନ ସମୟରେ ସମସ୍ତ ବରିଷ୍ଠ ଖେଳାଳି ରୋହିତ ଶର୍ମା, ଶୁଭମନ ଗିଲ୍, କେଏଲ ରାହୁଲଙ୍କ ସହ ଆଲୋଚନା କରିଛନ୍ତି । ଆଉ ଏହାର ପ୍ରମାଣ ଭିଜୁଆଲରେ ଦେଖିବାକୁ ମିଳିଛି । ଏଥିରେ ବିରାଟ କୋହଲିଙ୍କ ସହିତ ଗମ୍ଭୀରଙ୍କ ଆଲୋଚନାର କୌଣସି ଦୃଶ୍ୟ ଦେଖିବାକୁ ମିଳିନି । ରିପୋର୍ଟ ମୁତାବକ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ମଧ୍ୟ ନେଟସ୍ ପ୍ରାକ୍ଟିସ ବିଷୟରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ସହ ଅଲଗା ଅଲଗା ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଭାରତୀୟ ଦଳରୁ ଆସିଥିବା ଏମିତି ଚିତ୍ର ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଥିବା ଉଜାଗର କରିଛି ।
ବିରାଟ କୋହଲି ଓ ଗମ୍ଭୀରଙ୍କ ସଂପର୍କରେ ପୂର୍ବରୁ ହିଁ ତିକ୍ତତା ରହି ଆସିଛି । ଆଇପିଏଲ ସମୟରେ ଦୁହିଁଙ୍କ ମଧ୍ୟରେ ଲଢେଇ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାତ୍ର ଲାଗୁଛି ଗମ୍ଭୀର ଓ କୋହଲିଙ୍କ ସଂପର୍କରେ ରହିଥିବା ଫାଟ ଏବେ ବି ଭରି ନାହିଁ । ତେବେ ଦେଖିବାକୁ ବାକି ରହିଲା ଏହାର ପ୍ରଭାବ ଦଳ ଉପରେ ପଡିବ ନାହିଁ ତ ।
Also Read: ବିଶ୍ୱବିଜେତା ହୋଇ ମଧ୍ୟ ଅଲିମ୍ପିକ୍ସରୁ କଟିବ କି ଟିମ୍ ଇଣ୍ଡିଆର ପତ୍ତା? ଲଗାତାର ୫ ପରାଜୟ ବଢ଼ାଇଲା ଚିନ୍ତା