ଚେନ୍ନାଇ: ଆଇପିଏଲ୍ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ଚେନ୍ନାଇ ସୁପର କିଙ୍ଗସ (CSK)ଦଳକୁ ବିଶ୍ୱ କ୍ରିକେଟ୍ରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗତ ୧୭ ବର୍ଷ ଧରି ସିଏସକେ ମାହୋଲ ସହ ଜଡ଼ିତ ଥିବା ନ୍ୟୁଜିଲାଣ୍ଡର ଏହି ପୂର୍ବତନ ଅଧିନାୟକ ଚେନ୍ନାଇ ଫ୍ରାଞ୍ଚାଇଜ୍ ସହ ନିଜର ଦୀର୍ଘ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ୍ ୨୦୨୬ ସିଜନ୍ରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଫ୍ଲେମିଙ୍ଗ୍ଙ୍କ ଏହି ଆକସ୍ମିକ ନିଷ୍ପତ୍ତି କ୍ରିକେଟ୍ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି।
ମହେନ୍ଦ୍ର ସିଂ ଧୋନି ଏବଂ ଷ୍ଟିଫେନ୍ ଫ୍ଲେମିଙ୍ଗ୍ଙ୍କ ରଣନୀତି ବଳରେ ଦଳ ବିଗତ ଦିନରେ ଅନେକ ସଫଳତା ପାଇଥିଲା। ମାତ୍ର ଆଇପିଏଲ୍ ୨୦୨୬ ସିଜନ୍ CSK ପାଇଁ ବହୁତ ଖରାପ ରହିଥିଲା। ଦଳ ପଏଣ୍ଟ ଟେବୁଲ୍ର ତଳ ଆଡ଼େ ରହିବା ସହ ପ୍ଲେ-ଅଫ୍ ଦୌଡ଼ରୁ ବହୁତ ଶୀଘ୍ର ବାହାର ହୋଇଯାଇଥିଲା। କ୍ରମାଗତ ବ୍ୟାଟିଂ ଓ ବୋଲିଂ ବିଫଳତା ଯୋଗୁଁ ଫ୍ଲେମିଙ୍ଗ୍ଙ୍କ କୋଚିଂ ଶୈଳୀ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା। ଏହି ଲଗାତାର ଖରାପ ପ୍ରଦର୍ଶନର ନୈତିକ ଦାୟିତ୍ୱ ନେଇ ଫ୍ଲେମିଙ୍ଗ୍ ସମ୍ମାନର ସହ ନିଜ ପଦ ଛାଡ଼ିବାକୁ ଶ୍ରେୟସ୍କର ମଣିଛନ୍ତି।
୧୭ ବର୍ଷର ଐତିହାସିକ ଯାତ୍ରା
ଷ୍ଟିଫେନ୍ ଫ୍ଲେମିଙ୍ଗ୍ ୨୦୦୮ରେ ପ୍ରଥମ ଆଇପିଏଲ୍ ସିଜନ୍ରେ ସିଏସକେର ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଯୋଗ ଦେଇଥିଲେ। ଏହା ପରେ ୨୦୦୯ ମସିହାରେ ସେ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ହାତକୁ ନେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ବିଶ୍ୱର ସବୁଠାରୁ ଦୀର୍ଘ ସମୟ ଧରି କୌଣସି ଟି-୨୦ ଦଳର ମୁଖ୍ୟ କୋଚ୍ ରହିବାର ରେକର୍ଡ ନିଜ ନାମରେ କରିଥିଲେ। ତାଙ୍କ କୋଚିଂ କାଳରେ CSK ୫ ଥର ଆଇପିଏଲ୍ ଟ୍ରଫି (୨୦୧୦, ୨୦୧୧, ୨୦୧୮, ୨୦୨୧, ୨୦୨୩) ଏବଂ ୨ ଥର ଚାମ୍ପିଅନ୍ସ ଲିଗ୍ ଟି-୨୦ ଟାଇଟଲ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଛି।
Also Read: ଟିମ୍ ଇଣ୍ଡିଆରେ ବଡ ବିଦ୍ରୋହ ! ଗମ୍ଭୀରଙ୍କୁ ଛାଡି ପାରନ୍ତି ୨ କୋଚିଂ ଷ୍ଟାଫ, ପଦାରେ ପଡିଲା ଡ୍ରେସିଂ ରୁମ ବିବାଦ