କାଠମାଣ୍ଡୁ: ନେପାଳ କ୍ରିକେଟ୍ ଦଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ। ଶକ୍ତିଶାଳୀ ଭାରତ-ଏ ଦଳ ବିପକ୍ଷରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ନେପାଳ। ଭାରତୀୟ ଦଳରେ ଆଇପିଏଲ୍ ର ଅନେକ ବଡ଼ ବଡ଼ ତାରକା ଖେଳାଳି ଏବଂ ଭାରତୀୟ ସିନିୟର ଟିମ୍ ପାଇଁ ଖେଳି ସାରିଥିବା ଅଭିଜ୍ଞ କ୍ରିକେଟର ସାମିଲ ଥିବାରୁ, ଏହି ମ୍ୟାଚ୍ ନେପାଳ ପାଇଁ ନିଜର ଦକ୍ଷତା ପ୍ରମାଣିତ କରିବାର ସବୁଠାରୁ ବଡ଼ ମଞ୍ଚ ସାଜିବ। ବିଶ୍ୱ କ୍ରିକେଟରେ ଗତ କିଛି ବର୍ଷ ହେବ ନେପାଳ ଦଳ ନିଜର ଚମତ୍କାର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଛି।
ନେପାଳ ଦଳ କ୍ରମାଗତ ଭାବେ ଗତ ଦୁଇଟି ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରି ନିଜର କ୍ରିକେଟ୍ ଗ୍ରାଫ୍କୁ ଉପରକୁ ନେଇଛି। ୨୦୨୪ ଟି-୨୦ ବିଶ୍ୱକପ୍ରେ ଦଳ ଗୋଟିଏ ହେଲେ ମଧ୍ୟ ମ୍ୟାଚ୍ ଜିତିବାରେ ସଫଳ ହୋଇନଥିଲା। ମାତ୍ର ଚଳିତ ୨୦୨୬ ବିଶ୍ୱକପ୍ରେ ନେପାଳ ନିଜ ଖେଳରେ ବଡ଼ ସୁଧାର ଆଣି ସ୍କଟଲାଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ଚଳିତ ବିଶ୍ୱକପ୍ର ଏକ ରୋମାଞ୍ଚକର ମ୍ୟାଚ୍ରେ ନେପାଳ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ପ୍ରାୟ ହରାଇବା ସ୍ଥିତିରେ ପହଞ୍ଚି ଯାଇଥିଲା। ମାତ୍ର ଭାଗ୍ୟ ସାଥ୍ ନଦେବାରୁ ମାତ୍ର ୪ ରନ୍ର ଏକ ଅତି ସଂଘର୍ଷପୂର୍ଣ୍ଣ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।
ଡିସେମ୍ବର ୯ - ପ୍ରଥମ ଟି-୨୦
ଡିସେମ୍ବର ୧୧ - ଦ୍ୱିତୀୟ ଟି-୨୦
ଡିସେମ୍ବର ୧୩ - ତୃତୀୟ ଟି-୨୦
ଗୋଟିଏ ପଟେ ବିଶ୍ୱକପ୍ରେ ବଡ଼ ବଡ଼ ଦଳକୁ ନାକେଦମ କରିଥିବା ନେପାଳର ଉତ୍ସାହ ଏବଂ ଅନ୍ୟପଟେ ଆଇପିଏଲ୍ ତାରକାଙ୍କୁ ନେଇ ଗଠିତ ଭାରତ-ଏ ଦଳ। ଏଭଳି ପରିସ୍ଥିତିରେ ଏହି ମହାମୁକାବିଲା ବେଶ୍ ରୋମାଞ୍ଚକର ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି। ନେପାଳର ଯୁବ ଖେଳାଳିମାନେ ଭାରତର ତାରକା କ୍ରିକେଟରଙ୍କ ସହ ଖେଳି ଅନେକ ଅଭିଜ୍ଞତା ହାସଲ କରିପାରିବେ।