ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ନଟିଙ୍ଘମର ଟ୍ରେଣ୍ଟବ୍ରିଜ୍ ମୈଦାନରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ଏହି ମୁକାବିଲା ରାତି ୧୦ଟାରୁ ଆରମ୍ଭ ହେବ। ସିରିଜ୍ରେ ଆଗୁଆ ଥିବା ଘରୋଇ ଇଂଲଣ୍ଡ ଦଳ ଏହି ମ୍ୟାଚ୍ ପାଇଁ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଥିବା ବେଳେ, ଟିମ୍ ଇଣ୍ଡିଆ ଟସ୍ ସମୟରେ ନିଜର ଦଳ ଘୋଷଣା କରିବ ।
ତେବେ ଇଂଲଣ୍ଡ ନିଜ ଦଳରେ କୌଣସି ପରିବର୍ତ୍ତନ କରିନଥିବା ବେଳେ, ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଅଧିନାୟକ ଶ୍ରେୟସ ଆୟର ଆଜି ଗୋଟିଏ ବଡ଼ ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇପାରନ୍ତି।
ରବି ବିଷ୍ଣୋଇ ହୋଇପାରନ୍ତି ଦଳରୁ ବାଦ୍ !
ନଟିଙ୍ଘମର ପିଚ୍ ସାଧାରଣତଃ ବ୍ୟାଟରମାନଙ୍କୁ ବେଶ୍ ସହାୟତା କରିଥାଏ, ତେଣୁ ଭାରତୀୟ ବ୍ୟାଟିଂ ଲାଇନଅପ୍ରେ କୌଣସି ପରିବର୍ତ୍ତନର ସମ୍ଭାବନା କମ୍ ଅଛି। କିନ୍ତୁ ବୋଲିଂ ବିଭାଗରେ ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କ ସ୍ଥାନକୁ ନେଇ ଆଶଙ୍କା ଦେଖାଦେଇଛି। ମ୍ୟାଞ୍ଚେଷ୍ଟରରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ସେ ଦଳର ଅଂଶ ଥିଲେ, ମାତ୍ର ତୃତୀୟ ମ୍ୟାଚ୍ରୁ ତାଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ଯଦି ରବି ବିଷ୍ଣୋଇ ଦଳରୁ ବାଦ୍ ପଡ଼ନ୍ତି, ତେବେ ତାଙ୍କ ସ୍ଥାନ କିଏ ନେବ? 'କ୍ରିକଇନଫୋ'ର ରିପୋର୍ଟ ଅନୁଯାୟୀ, ଏହି ଦୌଡ଼ରେ ୩ ଜଣ ଖେଳାଳି ସାମିଲ ଅଛନ୍ତି:
ପ୍ରିନ୍ସ ଯାଦବଙ୍କ ଆଜି ମ୍ୟାଚ୍ରେ ସୁଯୋଗ ମିଳିବାର ସବୁଠାରୁ ଅଧିକ ସମ୍ଭାବନା ରହିଛି। ସୂର୍ଯ୍ୟାଂଶ ସେଡଗେ ଏବଂ ୱାଶିଂଟନ ସୁନ୍ଦର ଏହି ଦୁଇ ଖେଳାଳିଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଅଛି। ନିଜର ପ୍ରଥମ ବିଜୟ ସନ୍ଧାନରେ ଥିବା ଅଧିନାୟକ ଶ୍ରେୟସ ଆୟର ଏବଂ ଦଳର ମ୍ୟାନେଜମେଣ୍ଟ ହିଁ ଏହା ଉପରେ ଶେଷ ନିଷ୍ପତ୍ତି ନେବେ।
ଭାରତର ସମ୍ଭାବ୍ୟ ଏକାଦଶ
ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଷନ, ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ଏବଂ ପ୍ରିନ୍ସ ଯାଦବ/ସୂର୍ଯ୍ୟାଂଶ ସେଡଗେ/ ୱାଶିଂଟନ ସୁନ୍ଦର।
ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ
ଫିଲ୍ ସଲ୍ଟ, ଜୋସ୍ ବଟଲର, ହ୍ୟାରୀ ବ୍ରୁକ (ଅଧିନାୟକ), ଜାକବ ବେଥେଲ, ଟମ୍ ବେଣ୍ଟନ, ସାମ କରନ, ୱିଲ୍ ଜ୍ୟାକ୍ସ, ଲାୟମ ଡସନ, ଆଦିଲ ରସିଦ, ଜୋଫ୍ରା ଆର୍ଚ୍ଚର, ଜୋଶ ଟଙ୍ଗ।