ମ୍ୟାଞ୍ଚେଷ୍ଟର: ମ୍ୟାଞ୍ଚେଷ୍ଟରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତକୁ ୪ ୱିକେଟ୍ରେ ପରାସ୍ତ କରିଛି ଘରୋଇ ଇଂଲଣ୍ଡ ଦଳ। ଷ୍ଟାର୍ ବ୍ୟାଟର ଜ୍ୟାକବ ବେଥେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଆଗରେ ଫିକା ପଡ଼ିଯାଇଛି ଭାରତୀୟ ବୋଲିଂ ବାହିନୀ। ପ୍ରଥମେ ବ୍ୟାଟିଂ କରି ଭାରତ ୧୯୦ ରନ୍ର ବଡ଼ ସ୍କୋର ଛିଡ଼ା କରିଥିଲେ ହେଁ, ଶେଷ ଓଭରରେ ଇଂଲଣ୍ଡ ଏହି ମ୍ୟାଚ୍କୁ ନିଜ ସପକ୍ଷରେ କରିନେଇଛି।
ଇଂଲଣ୍ଡର ବ୍ୟାଟିଂ ଆରମ୍ଭରୁ ହିଁ ଟିମ୍ ଇଣ୍ଡିଆର ଷ୍ଟାର୍ ପେସର ଅର୍ଶଦୀପ ସିଂ ପ୍ରଥମ ଓଭରରେ ଜୋସ୍ ବଟଲର ଓ ଫିଲ୍ ସଲ୍ଟଙ୍କୁ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ମାତ୍ର ପ୍ରଥମ ଓଭରରୁ କ୍ରିଜ୍କୁ ଆସିଥିବା ଜ୍ୟାକବ ବେଥେଲ ଭାରତର ବିଜୟ ଆଶା ଫିକା କରିଥିଲେ। ଗୋଟିଏ ପଟେ ସେ ୩୩ ବଲ୍ରେ ୩୭ ରନ୍ କରିଥିବା ବେଳେ, ଶେଷ ୧୩ ବଲ୍ରେ ବିସ୍ଫୋରଣ ଘଟାଇ ଆଉ ୩୯ ରନ୍ ସଂଗ୍ରହ କରିଥିଲେ। ସେ ମୋଟ ୪୬ ବଲ୍ରୁ ୫ଟି ଚୌକା ଓ ୫ଟି ଛକା ସହାୟତାରେ ୭୬ ରନ୍ର ମ୍ୟାଚ୍ ବିଜେତା ଇନିଂସ ଖେଳିଥିଲେ।
ରବି ବିଷ୍ଣୋଇଙ୍କ ଗୋଟିଏ ଓଭର ବଦଳାଇଦେଲା ମ୍ୟାଚ୍
ଶେଷ ୫ ଓଭରରେ ଇଂଲଣ୍ଡକୁ ଜିତିବା ପାଇଁ ୪୯ ରନ୍ ଆବଶ୍ୟକ ଥିଲା ଏବଂ ଭାରତୀୟ ଦଳ ମ୍ୟାଚ୍ରେ ଭଲ ସ୍ଥିତିରେ ଥିଲା। ମାତ୍ର ପାଳିର ୧୬ତମ ଓଭର ବୋଲିଂ କରିବାକୁ ଆସିଥିବା ସ୍ପିନର ରବି ବିଷ୍ଣୋଇ ସବୁକିଛି ବିଗାଡ଼ି ଦେଇଥିଲେ। ସେ ଏହି ଓଭରରେ ୨ଟି ନୋ-ବଲ୍ ସହ ମୋଟ ୯ଟି ବଲ୍ ପକାଇ ୨୯ ରନ୍ ବ୍ୟୟ କରିଥିଲେ, ଯେଉଁଥିରେ ୩ଟି ଛକା ଓ ଗୋଟିଏ ଚୌକା ସାମିଲ ଥିଲା। ଏହି ଓଭର ହିଁ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ବୋଲିଂରେ ଅର୍ଶଦୀପ ମଧ୍ୟ ଗୋଟିଏ ଓଭରରେ ୨୭ ରନ୍ ଦେଇ ଏକ ଅଲୋଡ଼ା ରେକର୍ଡ ନିଜ ନାମରେ କରିଛନ୍ତି।
ଏହି ମ୍ୟାଚ୍ରେ ଭାରତ ପାଇଁ ମାତ୍ର ୧୫ ବର୍ଷ ୯୯ ଦିନ ବୟସରେ ଡେବ୍ୟୁ କରି ଇତିହାସ ରଚିଥିବା ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂରେ କିଛି ଖାସ୍ କମାଲ କରିପାରି ନାହାନ୍ତି। ସେ ମାତ୍ର ୧୦ ବଲ୍ରେ ୧୪ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ୱିକେଟକିପର ବ୍ୟାଟର ଇଶାନ କିଶନ ୪୯ ରନ୍ର ସ୍କୋର କରିଥିଲେ ମଧ୍ୟ ଏଥିପାଇଁ ସେ ୪୦ଟି ବଲ୍ ଖେଳିଥିଲେ।
କ୍ରିଜ୍ରେ ସେଟ୍ ହେବା ପରେ ମଧ୍ୟ ସେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିପାରି ନଥିଲେ, ଯାହା ଯୋଗୁଁ ୧୪ ଓଭର ପରେ ଭାରତର ରନ୍ ଗତି କମିଯାଇଥିଲା ଏବଂ ଦଳ ପରବର୍ତ୍ତୀ ୪ ଓଭରରେ ମାତ୍ର ୨୪ ରନ୍ ହିଁ କରିପାରିଥିଲା। ଏହି ଧିମା ବ୍ୟାଟିଂ କାରଣରୁ ଭାରତୀୟ ଦଳ ସ୍ପଷ୍ଟ ଭାବେ ୨୦୦ ରନ୍ର ସ୍କୋର ପାର୍ କରିବାରୁ ବଞ୍ଚିତ ହୋଇଥିଲା।