ନୂଆଦିଲ୍ଲୀ: ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଶୋଚନୀୟ ପରାଜୟ ପରେ ଏବେ ଇଂଲଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ବୁଧବାର ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍। ଆୟରଲାଣ୍ଡ ହାତରୁ ୦-୨ ରେ ସିରିଜ୍ ହାରିବା ପରେ ଭାରତୀୟ ଦଳ ଏବେ ବଡ଼ ଚାପରେ ରହିଛି। ଏଭଳି ସ୍ଥିତିରେ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ତାରି ମାଟିରେ ମାତ୍ ଦେବା ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ କାଠିକର ପାଠ।
ବୈଭବଙ୍କ ଡେବ୍ୟୁ ଉପରେ ସମସ୍ତଙ୍କ ନଜର
ପ୍ରଥମ ମ୍ୟାଚରେ ସମସ୍ତଙ୍କ ନଜର ରହିଛି ୧୫ ବର୍ଷର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଦଳରେ ତାଙ୍କ ସାମିଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଦଳର ସହକାରୀ କୋଚ୍ ର୍ୟାନ୍ ଟେନ୍ ଡୋସାଟେ ସୂଚନା ଦେଇଛନ୍ତି ଯେ, ବୈଭବ ଜଣେ ପ୍ରତିଭାବାନ ଖେଳାଳି ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ତାଙ୍କୁ ପ୍ରକ୍ରିୟା ଦେଇ ଗତି କରିବାକୁ ହେବ ଏବଂ ସଠିକ୍ ସମୟକୁ ଅପେକ୍ଷା କରିବାକୁ ପଡ଼ିବ।
କିଏ ବାଦ୍ ପଡ଼ିବେ ସଞ୍ଜୁ ନା ଈଶାନ?
ଆୟରଲାଣ୍ଡ ସିରିଜରେ ଫ୍ଲପ୍ ହୋଇଥିବା ଅଭିଜ୍ଞ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ପ୍ରଥମ ଟି-୨୦ରୁ ବାଦ୍ ଦିଆଯାଇପାରେ। ସଞ୍ଜୁଙ୍କ ସ୍ଥାନରେ ଓପନିଂରେ ଅଭିଷେକ ଶର୍ମାଙ୍କ ସହ ବୈଭବଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି। ଅନ୍ୟପଟେ ଈଶାନ କିଶନ ମଧ୍ୟ ଗତ ସିରିଜରେ ମାତ୍ର ୧ ଏବଂ ୧୨ ରନ୍ କରି ନିରାଶ କରିଥିଲେ। ତେଣୁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଚୟନକର୍ତ୍ତା ଅଜିତ ଅଗରକର ଦଳରେ କିଛି ବଡ଼ ପରିବର୍ତ୍ତନ କରି କଠୋର ନିଷ୍ପତ୍ତି ନେଇପାରନ୍ତି।
ଇଂଲଣ୍ଡ ପିଚ୍ରେ ଭାରତୀୟ ବ୍ୟାଟିଂର ପରୀକ୍ଷା
ଆୟରଲାଣ୍ଡର ଦ୍ରୁତ ପିଚ୍ରେ ଭାରତୀୟ ବ୍ୟାଟରମାନେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଆଇପିଏଲ୍ର ଫ୍ଲାଟ୍ ପିଚ୍ ଖେଳି ରନ ବର୍ଷା କରିଥିବା ଭାରତୀୟ ବ୍ୟାଟର ଏବେ ଭଲ ପିଚରେ ଆଣ୍ଠଉଛି। ଆୟରଲାଣ୍ଡ ପରି ଇଂଲଣ୍ଡର ପରିବେଶ ମଧ୍ୟ ପ୍ରାୟ ସମାନ ରହିବ। ଆସନ୍ତାକାଲି ପ୍ରଥମ ମ୍ୟାଚ୍ ଚେଷ୍ଟର-ଲି-ଷ୍ଟ୍ରିଟ୍ର ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯିବ। ଏଠାରେ ହାରାହାରି ସ୍କୋର ୧୩୮ ରନ୍ ରହିଛି। ଏଠାରେ ବୋଲରଙ୍କ ପତିଆରା ଅଧିକ ଦେଖିବାକୁ ମିଳେ।
ଇଂଲଣ୍ଡ ଦଳରେ ଜୋଫ୍ରା ଆର୍ଚ୍ଚର, ଜୋଶ୍ ଟଙ୍ଗ୍ ଏବଂ ସାକିବ୍ ମହମୁଦଙ୍କ ଭଳି ଘାତକ ଦ୍ରୁତ ବୋଲର ଥିବାବେଳେ ଆଦିଲ ରସିଦଙ୍କ ଭଳି ଚତୁର ସ୍ପିନର ଅଛନ୍ତି। ଏହାସହ ବ୍ୟାଟିଂରେ ହ୍ୟାରୀ ବ୍ରୁକ୍, ଜୋସ୍ ବଟଲର୍ ଏବଂ ଫିଲ୍ ସଲ୍ଟଙ୍କ ଭଳି ବିସ୍ଫୋରକ ଖେଳାଳି ଅଛନ୍ତି। ତେଣୁ ଭାରତୀୟ ସ୍ପିନର ଅକ୍ଷର ପଟେଲ ଏବଂ ୱାଶିଂଟନ ସୁନ୍ଦରଙ୍କୁ ମଧ୍ୟ ମଧ୍ୟଭାଗ ଓଭରଗୁଡ଼ିକରେ ରନ୍ ଗତି ରୋକିବାକୁ ହେବ। ଭାରତୀୟ ସମୟ ଅନୁସାରେ ଏହି ରୋମାଞ୍ଚକର ମ୍ୟାଚ୍ଟି ରାତି ୧୦ଟାରେ ଆରମ୍ଭ ହେବ।