ଭୁବନେଶ୍ୱର: ଆଜି ପୁଣି ଗୋଟିଏ ଦିନରେ ତିନି ତିନି ଜଣ ସରକାରୀ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତ । କିରାଣୀ, ରାଜସ୍ୱ ନିରୀକ୍ଷକ ଓ ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିବା ପରେ ଅଦାଲତ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡାଦେଶ ଦେଇଛନ୍ତି ।
ଏକ ଦୁର୍ନୀତି ମାମଲାରେ ବଲାଙ୍ଗୀର ଜିଲ୍ଲା ଏଲଏସଆଇପି ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ ପୂର୍ବତନ ରାଜସ୍ୱ ନିରୀକ୍ଷକ ଭିଜିଲାନ୍ସ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଆରଆଇ ରମେଶ ଚନ୍ଦ୍ର ମିଶ୍ରଙ୍କୁ ୩ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି । ତାଙ୍କର ପେନସନ ବନ୍ଦ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି ।
କୋରପୁଟ ଜୟପୁର ଜଳ ବିଦ୍ୟୁତ ପ୍ରକଳ୍ପର ପୂର୍ବତନ ନିର୍ବାହୀ ଯନ୍ତ୍ରୀ କଲ୍ୟାଣୀପୁରୀ ଗାନ୍ଧୀ ଚୌଧୁରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ତାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ମାନ୍ୟବର ସ୍ୱତନ୍ତ୍ର ବିଚାରପତି , ଦୋଷୀ ସାବ୍ୟସ୍ତ କରିଛନ୍ତି । ଯନ୍ତ୍ରୀଙ୍କୁ ୩ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ସହିତ ୧,୦୦,୦୦୦ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ତଦନ୍ତ ବିଭାଗ ଚୌଧୁରୀଙ୍କ ପେନସନ ବନ୍ଦ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ।
ସେହିପରି ଅନ୍ୟ ୨୦୦୭-୦୮ ରୁ ୨୦୧୦-୧୧ ମଧ୍ୟରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ସରକାରୀ ପାଣ୍ଠିର ଅପବ୍ୟବହାର ପାଇଁ ପୂର୍ବତନ ଉନ୍ନୟନ କିରାଣୀ ତଥା ଷ୍ଟୋର ଇନଚାର୍ଜ ଅବସରପ୍ରାପ୍ତ ଗଣେଶ୍ୱର ଗିରି ଦୋଷୀ ପ୍ରମାଣିତ ହୋଇଛନ୍ତି । ଭିଜିଲାନ୍ସ ଦ୍ୱାରା ପିସି ଆଇନ, ୧୯୮୮/୪୦୯/୪୬୮/୪୭୧ ଆଇପିସିର ୧୩(୨) ଆର/ଡବ୍ଲୁ ୧୩(୧)(ସି) ଅନ୍ତର୍ଗତ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତତସହିତ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଣେଶ୍ୱର ଗିରିଙ୍କ ପେନସନ ବନ୍ଦ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ।