ରାଉରକେଲା ପୋଲିସ ସାଇବର ଠକେଇ ବିରୋଧରେ ବଡ଼ ସଫଳତା ହାସଲ କରିଛି। ୧୪.୩୬ ଲକ୍ଷ ଟଙ୍କାର 'ଡିଜିଟାଲ ଆରେଷ୍ଟ' ସାଇବର ଠକେଇ ମାମଲାର ପର୍ଦ୍ଦାଫାସ୍ କରିବା ସହ ମୁମ୍ବାଇରୁ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି।
ତଦନ୍ତ ସମୟରେ ପୋଲିସ ବ୍ୟାଙ୍କ କାରବାର, ମୋବାଇଲ ରେକର୍ଡ ଓ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣକୁ ବିଶ୍ଳେଷଣ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା। ଏଥିପାଇଁ ଦୁଇଟି ସ୍ୱତନ୍ତ୍ର ପୋଲିସ ଟିମ୍ ମୁମ୍ବାଇ ଯାଇ ନୟନ ଲଲିତ ନାଥୱାନୀ (୪୭) ଏବଂ ଧବଲ ପରେଶ ପଣ୍ଡ୍ୟା (୩୫)ଙ୍କୁ ଗିରଫ କରିଥିଲେ। ନୟନ ଜଣେ ଜିଏସଟି ବ୍ରୋକର ହୋଇଥିବା ବେଳେ ଧବଲ ଜଣେ ଫ୍ରିଲାନ୍ସ ସଙ୍ଗୀତଶିଳ୍ପୀ ଓ ଜିଏସଟି ବ୍ରୋକର ବୋଲି ଜଣାପଡ଼ିଛି।
ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଦୁଇଟି ମୋବାଇଲ ଫୋନ୍, ବିଭିନ୍ନ ସିମ୍ କାର୍ଡ ଓ ଆର୍ଥିକ କାରବାର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟର ଏକାଧିକ ସାଇବର ଠକେଇ ମାମଲା ସହ ସେମାନଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏହା ପଛରେ ଏକ ସଂଗଠିତ ଆନ୍ତଃରାଜ୍ୟ ଚକ୍ର କାମ କରୁଥିବା ପୋଲିସ ସନ୍ଦେହ କରୁଛି।
ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତମାନେ ନିଜକୁ ଆଇନ ପ୍ରୟୋଗକାରୀ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇ ରାଉରକେଲାର ଜଣେ ବ୍ୟକ୍ତିଙ୍କୁ 'ଡିଜିଟାଲ ଆରେଷ୍ଟ'ର ଭୟ ଦେଖାଇ ୧୪.୩୬ ଲକ୍ଷ ଟଙ୍କା ଠକିନେଇଥିଲେ। ବର୍ତ୍ତମାନ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଠାବ କରିବା ସହ ଟଙ୍କା କେଉଁଠି କେଉଁଠି ଯାଇଛି, ସେନେଇ ତଦନ୍ତ ଜାରି ରହିଛି।
ଏହି ସଫଳତା ପରେ ରାଉରକେଲା ପୋଲିସ ସାଧାରଣ ଲୋକଙ୍କୁ ସତର୍କ କରିଛି। ପୋଲିସ କହିଛି, କୌଣସି ଆଇନ ପ୍ରୟୋଗକାରୀ ସଂସ୍ଥା ଭିଡିଓ କଲ୍ରେ ତଦନ୍ତ କରେନାହିଁ କିମ୍ବା ଟଙ୍କା ମାଗେନାହିଁ। ଏଭଳି କଲ୍ ଆସିଲେ ଭୟଭୀତ ନହୋଇ ତୁରନ୍ତ ଜାତୀୟ ସାଇବର କ୍ରାଇମ୍ ହେଲ୍ପଲାଇନ୍ ୧୯୩୦ରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।