ବଲାଙ୍ଗୀର: ମାଆ ପାଇଁ ଝିଅ ହେଲା ହଟହଟ୍ଟା । ମାଆକୁ ନେଇ ପାରିଲେନି ବୋଲି ଝିଅକୁ ଉଠାଇ ନେଲେ । ଦିନ ଦ୍ୱିପ୍ରହରରେ ନାବାଳିକା ଝିଅର ବେକରେ ଛୁରୀ ଲଗାଇ ଛୁଟିକୁ ଘୋଷାଡ଼ି ଘୋଷାଡ଼ି ନେଇ ଅପହରଣ କରିନେଇଯାଇଛନ୍ତି । ଏଭଳି ଏକ ଘଟଣା ଘଟିଛି ବାଲଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ । ଅଭିଯୁକ୍ତ ମୁନା ବେହେରାକୁ ବେଲପଡ଼ା ଥାନା ପୋଲିସ ଅଟକ ରଖିଛି । ମୁନାର ଘର ମୁରିବାହାଲ ଥାନା ଅନ୍ତଲା ଗ୍ରାମରେ ବୋଲି ଜଣାପଡ଼ିଛି ।
ଗତକାଲି ମୁନା ବେହେରା ମହିଳାଙ୍କ ଗାଁକୁ ଆସି ତାଙ୍କୁ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଜନୈକା ମହିଳା ଜଣକ ମୁନାଙ୍କୁ ଦେଖି ଲୁଚି ପଡ଼ିଥିଲେ । ଏହା ପରେ ମୁନା ତାଙ୍କ ନାବାଳିକା ଝିଅକୁ ନେବାକୁ ଚେଷ୍ଟା କରିଥିଲା । ଝିଅକୁ ନେଲେ ମାଆ ଆପେ ଆପେ ଆସିବା ଭାବିକି ସେ ଏହି ପଦକ୍ଷେପ ନେଇଥିଲା । ନାବାଳିକାର ବେକରେ ଛୁରୀ ଲଗାଇ ଛୁଟିକୁ ଧରି ଗାଁ ଦାଣ୍ଡରେ ଝିଅଟିକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା । ଗାଁ ଲୋକେ ବିରୋଧ କରିବାକୁ ଯାଇ ଟେକା ପଥର ଫିଙ୍ଗି ଥିଲେ । ଏହା ପରେ ମୁନା ଝିଅଟିକୁ ଛାଡ଼ି ଚମ୍ପଟ ମାରିଥିଲା । ଏ ନେଇ ମହିଳା ଜଣକ ବେଲପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ତେବେ ଘଟଣାକ୍ରମ ଏମିତି ରହିଛି ଯେ ମୁରିବାହାଲ ଥାନା ଅନ୍ତଲା ଗ୍ରାମର ମୁନା ବେହେରାଙ୍କ ସହିତ ନାବାଳିକାର ମାଆର ଅନୈତିକ ପ୍ରେମ ସମ୍ପର୍କ ରହିଥିଲା । ଦୀର୍ଘ ୭ରୁ ୮ ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ରହିଛି । ମୁନା ଏବଂ ମହିଳାଙ୍କ ସ୍ୱାମୀଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ରହିଥିଲା । ଉଭୟ ଏକ କୁକୁଡ଼ା ଫାର୍ମ କରି ଚଳାଉଥିଲେ । ମହିଳାଙ୍କର ତିନୋଟି ପିଲା ମଧ୍ୟ ରହିଛନ୍ତି । ଏହାରି ମଧ୍ୟରେ ମୁନା ଏବଂ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶେଷରେ ମହିଳା ଜଣକ ପିଲା ଏବଂ ସ୍ୱାମୀକୁ ଛାଡ଼ି ମୁନା ସହିତ ରହିବା ଆରମ୍ଭ କରିଥିଲେ । କିନ୍ତୁ ପିଲାଙ୍କୁ ଛାଡ଼ି ମହିଳାଙ୍କ ଜଣକ ଅଧିକ ଦିନ ରହିପାରିନଥିଲେ ଏବଂ ସେ ମୁନାଙ୍କୁ ଛାଡ଼ି ଚାଲି ଆସିଥିଲେ ।
ବାରମ୍ବାର ମୁନା ମହିଳାଙ୍କୁ ତାଙ୍କ ପାଖକୁ ଡାକିଥିଲେ । ମାତ୍ର ସେ ନ ଯିବାରୁ ଶେଷରେ ମୁନା ଘରକୁ ପାଖକୁ ଆସିଥିଲା ମହିଳାଙ୍କୁ ନେବାକୁ । ମହିଳା ଜଣକ ପୋଲିସ ନିକଟରେ ମୁନାଙ୍କ ସହିତ ସମ୍ପର୍କ ଥିବା ସ୍ୱୀକାର କରିଛନ୍ତି ।
ସେପଟେ ମୁନା ଏ ନେଇ କିଛି ମୁହଁ ଖୋଲି ନାହାଁନ୍ତି । କିନ୍ତୁ ସୋସିଆଲ ମିଡ଼ିଆରେ ଉଭୟଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରିଛନ୍ତି । ଉଭୟଙ୍କ ମଧ୍ୟରେ ମନ୍ଦିରରେ ବିବାହ ହୋଇଥିବା ମଧ୍ୟ ସେ ଦାବି କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି । ଅତିରିକ୍ତ ଏସପି ନିଜେ ଏହି ମାମଲାରେ ହସ୍ତକ୍ଷେପ ମଧ୍ୟ କରିଛନ୍ତି ।