ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ବଡ଼ ଧରଣର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଭୁବନେଶ୍ବରର ପ୍ରମୁଖ ବ୍ୟବସାୟିକ ‘କେନ୍ଦ୍ର ମାର୍କେଟ୍ ବିଲ୍ଡିଂରେ ଭୋର୍ ୫ଟାରେ ଅଗ୍ନିକାଣ୍ଡ ଘଟିଛି। ଏକ କପଡ଼ା ଦୋକାନରେ ହଠାତ୍ ନିଆଁ ଲାଗିବା ପରେ ଦେଖୁଦେଖୁ ଏହା ହୁତୁହୁତୁ ହୋଇ ଜଳିବା ଆରମ୍ଭ ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ୨୦ରୁ ଅଧିକ ଦୋକାନକୁ ନିଆଁ ଗିଳିଦେଲା। ଘଟଣାସ୍ଥଳରୁ କଳା ଧୂଆଁ ଆକାଶକୁ ଉଠୁଥିବାରୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇ ଥିଲା।
ସୂଚନା ପାଇ ସ୍ଥାନୀୟ ଲୋକେ ଓ ଦୋକାନୀମାନେ ତୁରନ୍ତ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଥିଲେ।
ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଆଖପାଖ ଦୋକାନଗୁଡ଼ିକରେ ମଧ୍ୟ ସତର୍କତାମୂଳକ ବ୍ୟବସ୍ଥା କରାଯାଇଥିଲା। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ସମ୍ଭବତଃ ସଟ୍ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇ ପାରେ। ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି, ଆକଳନ ପରେ ଜଣା ପଡ଼ିବ। ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଭୁବନେଶ୍ବର ୟୁନିଟ୧ରେ ମଧ୍ୟ ନିଆଁ ଲାଗିଥିଲା।
ଅଧିକ ପଢ଼ନ୍ତୁ: ‘ଫିଲିପାଇନ୍ସରେ ଚାରି ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ; ଭାରତକୁ ରଣନୈତିକ ଅଂଶୀଦାର’