ବ୍ରହ୍ମପୁର: ବହୁଚର୍ଚ୍ଚିତ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ନୂଆ ମୋଡ଼ ନେଇଛି । ହତ୍ୟା ଷଡ଼ଯନ୍ତ୍ର ରଚିଥିବା ମୁଖ୍ୟ ଖଳନାୟକଙ୍କ ନାଁରୁ ହଟିଛି ହତ୍ୟା ଦଫା । ମୁଖ୍ୟ ଅଭିଯୁକ୍ତ ବିଜେଡ଼ିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ବିଏମସି ମେୟର ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସଙ୍କ ସମେତ ୧୪ ଅଭିଯୁକ୍ତଙ୍କୁ ହତ୍ୟା ଦଫାରୁ ବାଦ ଦିଆଯାଇଛି ।
ଗଲା ସପ୍ତାହରେ ପୋଲିସ ଅନ୍ତିମ ଚାର୍ଜସିଟ୍ ଦାଖଲ କରିଥିଲା । ଚୂଡ଼ାନ୍ତ ଚାର୍ଜସିଟରେ ୧୪ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫାକୁ ବାଦ ଦେଇଛି ପୋଲିସ । ହତ୍ୟା ଦଫା ଭାରତୀୟ ନ୍ୟାୟ ସଂହିତା ବିଏନ୍ଏସ୍ -୧୦୩ରୁ ବିକ୍ରମ ପଣ୍ଡା, ପିଣ୍ଟୁ ଦାସ ଓ ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କୁ ବାଦ ଦିଆଯାଇଛି । ଅନ୍ୟ ଅଭିଯୁକ୍ତମାନେ ମଳୟ ବିଷୋୟୀ, ମଦନ ମୋହନ ଦଳେଇ, ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର ସାହୁ, ଶିଶୁପାଲ କୁମାର ପାସୱାନ କୁନ୍ଦନ କୁମାର, ବିପିନ ସ୍ୱାଇଁ ଓ ସୀମାଞ୍ଚଳ ନାୟକ ପ୍ରମୁଖ ଏହି ତାଲିକାରେ ସାମିଲ ଅଛନ୍ତି । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦଫାରୁ ବାଦ ପଡ଼ିଛି ବିକ୍ରମ ପଣ୍ଡାଙ୍କ ନାମ । କେବଳ ଏକ ସଂଗଠିତ ଅପରାଧ ବୋଲି କୁହାଯାଇଛି । ସଂଗଠିତ ଅପରାଧରେ ବିଏନ୍ଏସ୍ ଦଫା-୧୧୧ ଲାଗିଛି । କେବଳ ଦୁଇ ଜଣ ସୁଟର୍ କୁରୁପତି ଭୂୟାଁ ଏବଂ ଚିଣ୍ଟୁ ପ୍ରଧାନଙ୍କ ନାଁରେ ହତ୍ୟା ଦଫା ରୁଜୁ କରାଯାଇଛି ।
ଘର ପାଖରେ ହୋଇଥିଲା ହତ୍ୟା
ଏଠାରେ ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର ୬, କୁମାର ପୂର୍ଣ୍ଣିମା ରାତିରେ ପୀତବାସ ପଣ୍ଡାଙ୍କୁ ତାଙ୍କ ବାସଭବନ ନିକଟରେ ହିଁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ପଏଣ୍ଟ ବ୍ଲାଙ୍କରୁ ଛାତିକୁ ଗୁଳି କରିଥିଲେ । ଫଳରେ ପୀତବାସଙ୍କର ମୃତ୍ୟୁ ହୋଇଥିଲା । ପୀତବାସଙ୍କ ଶରୀରରୁ ୯ ଏମ୍ଏମ୍ ଗୁଳି ବାହାରିଥିଲା । ଛାତି ଭେଦ କରି ତାଙ୍କ ମେରୁଦଣ୍ଡରେ ଗୁଳି ବାଜିଥିଲା । ପୀତବାସଙ୍କ ଶରୀରୁ ପ୍ରାୟ ୪ ଲିଟର୍ ରକ୍ତ ବୋହିଥିଲା । ଏହି ମାମଲାରେ ପ୍ରାୟ ୧୫ ଦିନ ଧରି ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଜେରା କରିବା ସହିତ ବ୍ରହ୍ମପୁର ସହରଠାରୁ ଆରମ୍ଭ କରି ରାଜପଥ ଯାଏ ୭୦ରୁ ଅଧିକ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା । ପରେ ମାମଲାରେ ବିକ୍ରମ ପଣ୍ଡାଙ୍କୁ ପୋଲିସ ଅଟକ ରଖିଥିଲା । ଶେଷରେ ଅକ୍ଟୋବର ୨୨ ତାରିଖରେ ପ୍ରଥମ ଦଫାରେ ବିକ୍ରମ ପଣ୍ଡା, ପିଣ୍ଟୁ ଦାସ ଓ ସୁଟରଙ୍କ ସମେତ ୧୨ ଜଣଙ୍କୁ ଗିରଫ କରାଯାଇଥିଲା । ପରେ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ମୋଟ ୧୬ ଜଣ ଅଭିଯୁକ୍ତ ରହିଛନ୍ତି ।