ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୩ ତାରିଖରୁ ଓଡ଼ିଶାର ଏକ ୩ ଦିନିଆ ଗୁରୁତ୍ୱପୂର୍ଣ୍ଣ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ବରଗଡ଼, ସମ୍ବଲପୁର, କଟକ ଏବଂ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ତଥା ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେବେ। ଗୃହମନ୍ତ୍ରୀ ଜୁଲାଇ ୩ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀର ପାଲମ୍ ବିମାନବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ବାହାରି ରାତି ପ୍ରାୟ ୮ଟା ୪୦ ମିନିଟ୍ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ ଏବଂ ସେହି ରାତିରେ ସେଠାରେ ରହିବେ।
ଏହାପରେ ଜୁଲାଇ ୪ ତାରିଖ ଶନିବାର ସକାଳ ୧୦ଟା ୪୦ ମିନିଟ୍ରେ ଶାହ ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ବରଗଡ଼ ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୧ଟା ୨୦ ମିନିଟ୍ରେ ସେ ବରଗଡ଼ର ବାଉଁଶିଙ୍ଘା ସ୍ଥିତ BPCL ୨G ଇଥାନଲ ପ୍ଲାଣ୍ଟ ପରିଦର୍ଶନ କରିବେ ଏବଂ ଏହାପରେ ସେଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଜନସଭାରେ ଏହି ବୃହତ୍ ଇଥାନଲ ପ୍ଲାଣ୍ଟର ଆନୁଷ୍ଠାନିକ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମ ସାରି ଅପରାହ୍ନ ପ୍ରାୟ ୧ଟା ୨୦ ମିନିଟ୍ରେ ଗୃହମନ୍ତ୍ରୀ ସମ୍ବଲପୁର ବୁର୍ଲା ସ୍ଥିତ MCL ହେଲିପ୍ୟାଡ୍ରେ ପହଞ୍ଚିବେ। ବୁର୍ଲା MCL ବିଶ୍ରାମ ଗୃହରେ ମଧ୍ୟାହ୍ନ ଭୋଜନ ସାରିବା ପରେ ସେ ଅପରାହ୍ନ ୨ଟା ୧୦ ମିନିଟ୍ରେ ପ୍ରସିଦ୍ଧ ମା' ସମଲେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା ଓ ଦର୍ଶନ କରିବେ।
ଏହାପରେ ସେ ସମ୍ବଲପୁରର ରେମେଡ୍ ପଡିଆ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ସମ୍ବଲପୁର କାର୍ଯ୍ୟକ୍ରମ ଶେଷ କରି ସେ ଝାରସୁଗୁଡ଼ା ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ୫ଟା ୩୫ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଏବଂ ଶନିବାର ରାତିରେ ଭୁବନେଶ୍ୱର ସ୍ଥିତ ହୋଟେଲ ମେ'ଫେୟାର୍ରେ ରାତ୍ରିଯାପନ କରିବେ।
ଗସ୍ତର ଶେଷ ଦିନ ଅର୍ଥାତ୍ ଜୁଲାଇ ୫ ତାରିଖ ରବିବାର ସକାଳ ୧୦ଟା ୫୦ ମିନିଟ୍ରେ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ବାହାରି ସେ କଟକ ଜିଲ୍ଲାର ବଡ଼ମ୍ବାଠାରେ ପହଞ୍ଚିବେ। ପୂର୍ବାହ୍ନ ୧୧ଟା ୨୫ ମିନିଟ୍ରେ ବଡ଼ମ୍ବା ଚିନିକଳର ବହୁ ପ୍ରତିକ୍ଷିତ ପୁନରୁଦ୍ଧାର ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ପରେ ଅପରାହ୍ନ ପ୍ରାୟ ୩ଟାରେ ଶ୍ରୀ ଶାହ ଭୁବନେଶ୍ୱର ଫେରି ୭ମ OSAP ବାଟାଲିୟନ ପରିସରକୁ ଯିବେ ଏବଂ ସେଠାରେ ଓଡ଼ିଶା ପୋଲିସର ପ୍ରସିଦ୍ଧ 'ପ୍ରେସିଡେଣ୍ଟସ୍ କଲର୍ସ ପ୍ରେଜେଣ୍ଟେସନ' ଉତ୍ସବରେ ସାମିଲ ହେବେ। ଶେଷରେ ସନ୍ଧ୍ୟା ୬ଟା ୨୦ ମିନିଟ୍ରେ କେନ୍ଦ୍ର ଗୃହମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିବେ।