ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ବଡ଼ ଝଟ୍କା ଲାଗିଛି। ଆମେରିକା ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଐତିହାସିକ ନିଷ୍ପତ୍ତି ଶୁଣାଇ ଟ୍ରମ୍ପଙ୍କ 'ଜନ୍ମଗତ ନାଗରିକତ୍ୱ'କୁ ସୀମିତ କରିବା ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କୋର୍ଟ ୬-୩ ବହୁମତରେ ଟ୍ରମ୍ପଙ୍କ କାର୍ଯ୍ୟକାରୀ ଆଦେଶ ଉପରେ ରୋକ ଲଗାଇଛନ୍ତି। ଏହା ସହ ସ୍ପଷ୍ଟ କରିଛନ୍ତି ଯେ, ଆମେରିକାରେ ଜନ୍ମ ଗ୍ରହଣ କରୁଥିବା ପ୍ରତ୍ୟେକ ଶିଶୁକୁ ସମ୍ବିଧାନର ୧୪ଶ ସଂଶୋଧନ ଅନୁଯାୟୀ ସ୍ୱତଃସ୍ଫୂର୍ତ୍ତ ଭାବେ ଆମେରିକାର ନାଗରିକତ୍ୱ ମିଳିବ।
ଟ୍ରମ୍ପ କାହିଁକି ଆଣିଥିଲେ ନୂଆ ନିୟମ?
ରାଷ୍ଟ୍ରପତି ଭାବେ ନିଜର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନରେ ହିଁ ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟକାରୀ ଆଦେଶରେ ସ୍ୱାକ୍ଷର କରିଥିଲେ। ଏହି ନିୟମ ଅନୁସାରେ, ଆମେରିକାରେ ବେଆଇନ ଭାବେ ରହୁଥିବା କିମ୍ବା ଅସ୍ଥାୟୀ ଭିସାରେ ଥିବା ବିଦେଶୀ ପିତାମାତାଙ୍କ ପିଲାମାନଙ୍କୁ ଆମେରିକାର ନାଗରିକତ୍ୱ ମିଳିବ ନାହିଁ ବୋଲି ପ୍ରାବଧାନ କରାଯାଇଥିଲା। ଟ୍ରମ୍ପ ପ୍ରଶାସନର ଯୁକ୍ତି ଥିଲା ଯେ, ଏହି ଅସୀମିତ ନାଗରିକତ୍ୱ ଅଧିକାର ଯୋଗୁଁ ଆମେରିକାରେ ବେଆଇନ ଅନୁପ୍ରବେଶ ଏବଂ ‘ବାର୍ଥ ଟୁରିଜିମ୍’ ବଢ଼ୁଛି, ଯେଉଁଠି ବିଦେଶୀ ଦମ୍ପତି କେବଳ ପିଲାକୁ ଆମେରିକୀୟ ନାଗରିକତ୍ୱ ଦେବା ପାଇଁ ସେଠାକୁ ଆସିଥାନ୍ତି।ତେବେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ପ୍ରଥମେ ନିମ୍ନ ଅଦାଲତ ଏବଂ ଏବେ ଦେଶର ସର୍ବୋଚ୍ଚ ଅଦାଲତ ରଦ୍ଦ କରିଦେଇଛନ୍ତି।
ସୁପ୍ରିମକୋର୍ଟ କଣ କହିଲେ?
ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍ ବହୁମତର ନିଷ୍ପତ୍ତି ପଢ଼ି କହିଛନ୍ତି ଯେ, ଆମେରିକାରେ ବେଆଇନ କିମ୍ବା ଅସ୍ଥାୟୀ ଭାବେ ରହୁଥିବା ପିତାମାତାଙ୍କ ଠାରୁ ଜନ୍ମିତ ଶିଶୁମାନେ ମଧ୍ୟ ଏହି ଦେଶର ଆଇନଗତ ଅଧିକାର କ୍ଷେତ୍ର ଅଧୀନରେ ଆସନ୍ତି। ତେଣୁ ୧୪ଶ ସଂଶୋଧନର ନାଗରିକତ୍ୱ ଧାରା ଅନୁଯାୟୀ ସେମାନଙ୍କୁ ଜନ୍ମରୁ ହିଁ ଆମେରିକାର ସମସ୍ତ ଅଧିକାର ମିଳିବ।
ଏହି ମାମଲାର ଗୁରୁତ୍ୱକୁ ଦେଖି ରାଷ୍ଟ୍ରପତି ଟ୍ରମ୍ପ ନିଜେ କୋର୍ଟରେ ଉପସ୍ଥିତ ରହି ମୌଖିକ ଯୁକ୍ତି ମଧ୍ୟ ଶୁଣିଥିଲେ, ଯାହାକି ଆମେରିକା ଇତିହାସରେ ଜଣେ ରାଷ୍ଟ୍ରପତିଙ୍କ ପାଇଁ ବହୁତ ବିରଳ ଘଟଣା। କୋର୍ଟ ଏହି ମାମଲାର ଶୁଣାଣି ବେଳେ ୧୮୯୮ ମସିହାର ପ୍ରସିଦ୍ଧ 'ୱଙ୍ଗ୍ କିମ୍ ଆର୍କ' ମାମଲାର ଉଦାହରଣ ଦେଇଥିଲେ, ଯେଉଁଥିରେ ଚୀନ ପିତାମାତାଙ୍କ ଆମେରିକାରେ ଜନ୍ମିତ ଶିଶୁକୁ ସୁପ୍ରିମକୋର୍ଟ ଆମେରିକାର ବୈଧ ନାଗରିକ ଭାବେ ମାନ୍ୟତା ଦେଇଥିଲେ।