ନୂଆଦିଲ୍ଲୀ: ହ୍ୱାଟସ୍ଆପ୍ ୟୁଜର୍ସଙ୍କ ପାଇଁ ଏକ ବଡ଼ ଖବର। ଭାରତରେ ହ୍ୱାଟସ୍ଆପ୍ର ଆଗାମୀ ‘ୟୁଜରନେମ୍’ ଫିଚର ଲଞ୍ଚ୍ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି। କମ୍ପାନୀ ଏହି ନୂଆ ଫିଚରକୁ ଖୁବ୍ଶୀଘ୍ର ବଜାରକୁ ଆଣିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ବର୍ତ୍ତମାନ ଏହା ଉପରେ ରୋକ ଲଗାଯାଇଛି। କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗରେ ହ୍ୱାଟସ୍ଆପ୍ର ମାଲିକାନା ସଂସ୍ଥା ‘ମେଟା’ କୁ କେନ୍ଦ୍ର ସରକାର ନୋଟିସ୍ ଜାରି କରି ୩ ଦିନ ମଧ୍ୟରେ ଜବାବ ମାଗିଛନ୍ତି।
କାହିଁକି ରୋକ ଲଗାଇଲେ ସରକାର ?
ସରକାରଙ୍କ ଆଶଙ୍କା ଯେ, ଏହି ଫିଚର ଆସିବା ଦ୍ୱାରା ଦେଶରେ ଅନଲାଇନ୍ ଠକେଇ ଏବଂ ସାଇବର ଅପରାଧ ମାମଲା ବହୁ ଗୁଣା ବଢ଼ିଯିବ। ବର୍ତ୍ତମାନ ହ୍ୱାଟସ୍ଆପ୍ ବ୍ୟବହାର ପାଇଁ ମୋବାଇଲ୍ ନମ୍ବର ଆବଶ୍ୟକ ହେଉଛି, ଯାହା ଦ୍ୱାରା ଅପରାଧୀଙ୍କୁ ଟ୍ରେସ୍ କରିବା ସହଜ ହେଉଛି। କିନ୍ତୁ କେବଳ ‘ୟୁଜରନେମ୍’ ଜରିଆରେ ଚାଟିଂ ସୁବିଧା ମିଳିଲେ ଫେକ୍ ଆକାଉଣ୍ଟ ଏବଂ ଡିଜିଟାଲ୍ ଆରେଷ୍ଟ ଭଳି ସ୍କାମ୍ ବଢ଼ିଯିବ।
ସାଇବର ଠକମାନେ ନିଜର ପ୍ରକୃତ ପରିଚୟ ଲୁଚାଇ ଲୋକଙ୍କୁ ଫିସିଂର ଶିକାର କରିପାରିବେ। କୌଣସି ପ୍ରତିଷ୍ଠିତ ବ୍ୟାଙ୍କ, ସରକାରୀ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ନାମରେ ନକଲି ୟୁଜରନେମ୍ ତିଆରି କରି ଲୋକଙ୍କୁ ସହଜରେ ପ୍ରତାରିତ କରାଯାଇପାରିବ।
ମେଟାକୁ ସରକାରଙ୍କ କଡ଼ା ପ୍ରଶ୍ନ
ଭାରତ ସରକାର ମେଟାକୁ ପ୍ରଶ୍ନ କରିଛନ୍ତି ଯେ, ଏହି ନୂଆ ସେବା ଭାରତୀୟ ଆଇଟି ଆକ୍ଟ ୨୦୦୦ (IT Act 2000) ଏବଂ ଆଇଟି ରୁଲ୍ସ ୨୦୨୧ ର ନିୟମାବଳୀକୁ କେମିତି ପାଳନ କରିବ? ଏହାସହ ଯଦି କୌଣସି ଅପରାଧ ଘଟେ, ତେବେ ତଦନ୍ତକାରୀ ସଂସ୍ଥାମାନେ ଅପରାଧୀର ପ୍ରକୃତ ପରିଚୟ କେମିତି ପାଇବେ, ସେ ନେଇ ସ୍ପଷ୍ଟୀକରଣ ମଗାଯାଇଛି। ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ, ଯେ ପର୍ଯ୍ୟନ୍ତ ସନ୍ତୋଷଜନକ ଉତ୍ତର ମିଳିନାହିଁ, ସେ ପର୍ଯ୍ୟନ୍ତ ଭାରତରେ ଏହି ଫିଚର ରୋଲଆଉଟ୍ ହୋଇପାରିବ ନାହିଁ।
ହ୍ୱାଟସ୍ଆପ୍ର ସଫେଇ: ଏହା ଅଧିକ ସୁରକ୍ଷିତ
ଅନ୍ୟପଟେ ହ୍ୱାଟସ୍ଆପ୍ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ନିଜର ପକ୍ଷ ରଖି କହିଛି ଯେ, ଏହି ‘ୟୁଜରନେମ୍’ ଫିଚର ୟୁଜର୍ସଙ୍କ ଆଇଡିକୁ ଅଧିକ ସୁରକ୍ଷିତ କରିବ। କମ୍ପାନୀର ଯୁକ୍ତି ଯଦି କେହି ବାରମ୍ବାର କାହାର ୟୁଜରନେମ୍ ଅନୁମାନ କରି ମେସେଜ୍ ପଠାଇବାକୁ ଚେଷ୍ଟା କରିବ, ତେବେ ତାକୁ ବ୍ଲକ୍ କରାଯାଇପାରିବ। ଏହାସହ ଯେତେବେଳେ କୌଣସି ନୂଆ ୟୁଜରନେମ୍ରୁ ପ୍ରଥମ ଥର ମେସେଜ୍ ଆସିବ, ସେତେବେଳେ ହ୍ୱାଟସ୍ଆପ୍ ନିଜେ ୟୁଜରଙ୍କୁ ଆଲର୍ଟ କରିବ ଯେ ଏହି ଆକାଉଣ୍ଟଟି ନୂଆ କିମ୍ବା ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଅଛି କି ନାହିଁ।