ନୂଆଦିଲ୍ଲୀ: ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିବା ଇରାନର ଦିବଙ୍ଗତ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲୀ ଖାମନେଇଙ୍କ ଅନ୍ତିମ ସଂସ୍କାର ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବ। ଏହି ମେଗା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଇରାନ ସରକାରଙ୍କ ପକ୍ଷରୁ ଭାରତର ଦୁଇ ପ୍ରମୁଖ ରାଜନୈତିକ ଦଳର ଶୀର୍ଷ ନେତାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଇରାନ ପକ୍ଷରୁ ଏହି ଆମନ୍ତ୍ରଣ ମିଳିଛି। ପୂର୍ବରୁ ଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।
ଭାରତ ପକ୍ଷରୁ କିଏ ହେବେ ସାମିଲ ?
ରିପୋର୍ଟ ଅନୁଯାୟୀ, ଆସନ୍ତା ସପ୍ତାହରେ ହେବାକୁ ଥିବା ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପକ୍ଷରୁ ପ୍ରତିନିଧି ଭାବେ କେନ୍ଦ୍ର ବିଦେଶ ରାଜ୍ୟ ମନ୍ତ୍ରୀ ପବିତ୍ରା ମାର୍ଗେରିଟା ଏବଂ ବିହାରର ରାଜ୍ୟପାଳ ସୟଦ ଅତା ହସନନ ଇରାନ ଗସ୍ତ କରିପାରନ୍ତି।
୫ ରୁ ୯ ଜୁଲାଇ: ୫ ଦିନ ଧରି ଚାଲିବ ଶେଷ ସଲାମ କାର୍ଯ୍ୟକ୍ରମ
ଇରାନ ସରକାରୀ ଗଣମାଧ୍ୟମ ‘ଆଇଆରଏନଏ’ (IRNA) ର ସୂଚନା ମୁତାବକ, ଖାମନେଇଙ୍କ ଶେଷ ଦର୍ଶନ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ଜୁଲାଇ ୫ ତାରିଖରୁ ଆରମ୍ଭ ହୋଇ ୯ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୪ ଓ ୫ରେ ରାଜଧାନୀ ତେହେରାନର ଇମାମ ଖୁମେନି ମୋସାଲା ପ୍ରାର୍ଥନା ହଲ୍ରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହେବ। ଜୁଲାଇ ୬ ଓ ୭ରେ ତେହେରାନ ଏବଂ ମଧ୍ୟ ଇରାନର ପବିତ୍ର ସହର ‘କୋମ’ ରେ ଅନ୍ତିମ ଯାତ୍ରା ବାହାରିବ।
ସୂଚନାଯୋଗ୍ୟ ଯେ, ଗତ ଫେବ୍ରୁଆରୀ ୨୮ ତାରିଖରେ ଆମେରିକା-ଇସ୍ରାଏଲ ମିଳିତ ଏୟାରଷ୍ଟ୍ରାଇକରେ ୮୬ ବର୍ଷୀୟ ଆୟାତୁଲ୍ଲା ଅଲୀ ଖାମନେଇଙ୍କ ମୃତ୍ୟୁ ହୋଇଥିଲା, ଯାହାର ଘୋଷଣା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିଲେ। ସେ ଦୀର୍ଘ ୩୬ ବର୍ଷ ଧରି ଇରାନ ଉପରେ ଶାସନ କରୁଥିଲେ। ଏହି ଭୟଙ୍କର ଆକ୍ରମଣରେ ଖାମନେଇଙ୍କ ସମେତ ତାଙ୍କ ଝିଅ, ନାତି ଏବଂ ଜ୍ୱାଇଁ ମଧ୍ୟ ପ୍ରାଣ ହରାଇଥିଲେ।