ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତି ରଦ୍ଦକୁ ନେଇ ପାକିସ୍ତାନ ପୁଣି ଥରେ ଭାରତକୁ ଫମ୍ପା ଧମକ ଦେଇଛି । ଯଦି ଭାରତ ସିନ୍ଧୁ ନଦୀ ନ ଖୋଲେ ତେବେ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ବିଲାୱଲ ଭୁଟ୍ଟୋ ।
ଇସଲାମାବାଦରେ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଆୟୋଜିତ ଏକ ସେମିନାରରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇସାକ ଡାର, ପିପିପି ନେତା ବିଲାୱାଲ ଭୁଟ୍ଟୋ ଏବଂ ପାକିସ୍ତାନୀ ମନ୍ତ୍ରୀ ମୁସାଦିକ୍ ମାଲିକ ସ୍ପଷ୍ଟ ଭାବରେ ଭାରତର ନାମ ନ ନେଇ ଧମକ ଦେଇଥିଲେ। ଭୁଟ୍ଟୋ କହିଛନ୍ତି ଯେ ପାକିସ୍ତାନର ପାଣିକୁ ରୋକିବାକୁ ପ୍ରୟାଶ କଲେ ଏହାକୁ ପର୍ଯ୍ୟାବରଣ କିମ୍ବା କୂଟନୈତିକ ବିବାଦ ନୁହେଁ ବରଂ ଏହା ଦେଶର ଅସ୍ତିତ୍ୱ ଉପରେ ଆକ୍ରମଣ ଭାବରେ ବିବେଚନା କରାଯିବ । ପାକିସ୍ତାନର ପରମାଣୁ ସିଦ୍ଧାନ୍ତରେ ଏଭଳି କିଛି ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ ରହିଛି, ଯେଉଁଥିରେ ଦେଶର ଅର୍ଥବ୍ୟବସ୍ଥା କିମ୍ବା ଜଳ ସମ୍ପଦକୁ କ୍ଷତି କରିବାକୁ ଚେଷ୍ଟା କଲେ ତାହା ରାଷ୍ଟ୍ରୀୟ ସଙ୍କଟ ଭାବେ ଗ୍ରହଣ କରାଯିବ । ପାକିସ୍ତାନକୁ ପାଣି ବନ୍ଦ କଲେ ନ୍ୟୁକ୍ଲିୟର ଆର୍ମଗେଡନ୍ ସ୍ଥିତି ଉତ୍ପନ ହେଲେ ଜବାବ ମଧ୍ୟ ସେହି ଢଙ୍ଗରେ ପାକିସ୍ତାନ ଦେବ ।
ସେ ଆହୁରି ଅଭିଯୋଗ ଲଗାଇଛନ୍ତି ଯେ ପାକିସ୍ତାନ ଉପରେ ଚାପ ପକାଇବାକୁ ଭାରତ ପାଣିକୁ ହତିଆର ଭାବରେ ବ୍ୟବହାର କରିବାକୁ ଚେଷ୍ଟା କରିଛି, କିନ୍ତୁ ସିନ୍ଧୁ ପାକିସ୍ତାନ ପାଇଁ କୌଣସି ବୈପାରିକ ମୁଦ୍ଦା ନୁହେଁ ବରଂ ଦେଶର ଜୀବନ ରେଖା । ସେଥିପାଇଁ ପାକିସ୍ତାନ ନିଜର ପାଣି, ଚୁକ୍ତି ଏବଂ ନିଜ ଭବିଷ୍ୟତକୁ ଯେକୌଣସି ପରିସ୍ଥିତିରେ ରକ୍ଷା କରିବ ।
ବିଲାୱଲ ଆହୁରି କହିଛନ୍ତି ଯେ ପାକିସ୍ତାନ ସମ୍ମାନର ସହିତ ଶାନ୍ତି ଚାହୁଁଛି । ଆଇନର ପରିଧି ମଧ୍ୟରେ ରହି ଆଲୋଚନା କରିବାକୁ ଆମେ ରାଜି ଅଛୁ । ଆମେ ମିଳିମିଶି ରହିବାକୁ ଚାହୁଁଛୁ, କିନ୍ତୁ କାହାର ସାମ୍ନାରେ ମଥା ନୁଆଇଁ ନୁହେଁ ବୋଲି ସେ କହିଛନ୍ତି । ବିଲାୱଲ ଆହୁରି ଧମକ ଦେଇଛନ୍ତି ଯେ ଯଦି କେହି ଭାବୁଛନ୍ତି ପାକିସ୍ତାନ ନିଜର ପାଣିର ଅଧିକାର ଛାଡ଼ିବ, ତା ହେଲେ ସେ ପାକିସ୍ତାନର ଜନତାଙ୍କୁ ଚିହ୍ନି ନାହାଁନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତବର୍ଷ ଏପ୍ରିଲ ୨୨ରେ ପହଲଗାମରେ ଧର୍ମ ନାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଥିଲା । ବ୍ୟବସାୟିକଠାରୁ ଆରମ୍ଭ କରି କୂଟନୈତିକ ସମ୍ପର୍କ ଛିନ୍ନ କରିଥିଲା । ଆଉ ସବୁଠାରୁ ବଡ଼ ପଦକ୍ଷେପ ଥିବା ସିନ୍ଧୁ ଚୁକ୍ତି ବାତିଲ । ଯାହା ପାକିସ୍ତାନର ମେରୁ ଦଣ୍ଡ ଉପରେ ପ୍ରହାର ଥିଲା । କାରଣ ପାକିସ୍ତାନ ୮୦ ପ୍ରତିଶତ କୃଷି କାର୍ଯ୍ୟ ସିନ୍ଧୁ ନଦୀ ଉପରେ ନିର୍ଭରଶୀଳ ଅଟେ ।