ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କ ଜୀବନରେ ଉପରେ ନିର୍ମାଣ ହୋଇଥିବା ସିନେମା ‘କାଲା ହିରଣ’କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି । ଏହି ସିନେମା ମୁକ୍ତିଲାଭ ଉପରେ ରୋକ୍ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି । ଆସନ୍ତା ସୋମବାର ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ ।
‘କାଲା ହିରଣ’ ସିନେମାଟି ସଲମାନ ଖାନଙ୍କ ଜୀବନ ଉପରେ ଆଧାରିତ । କୃଷ୍ଣସାର ମୃଗ ହତ୍ୟା କାହାଣୀକୁ ନେଇ ଏହି ସିନେମା ନିର୍ମାଣ ହୋଇଛି । ଯାହାର ତୀବ୍ର ବିରୋଧ କରି ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ସଲମାନ । ଆଜି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜ୍ୟୋତି ସିଂହ ଏହାର ଶୁଣାଣି ହୋଇଛି । ତେବେ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଆଶ୍ୱସନା ଦିଆଯାଇଛି ଯେ ସିନେମା ପରଦାକୁ ଆସିବ ନାହିଁ । ଏହାର ଟ୍ରେଲର୍ ମଧ୍ୟ ରିଲିଜ୍ ହେବ ନାହିଁ । ଖାଲି ସେତିକି ନୁହେଁ ଫିଲ୍ମ ନିର୍ମାତା ସ୍ପଷ୍ଟ କରିଛନ୍ତି ସୋମବାର ସେନ୍ସର୍ ବୋର୍ଡ ସାର୍ଟିଫିକେଟ୍ ହାସଲ କରିବାକୁ ମଧ୍ୟ ଆବେଦନ କରିବେ ନାହିଁ ।
ସଲମାନ ଖାନ କରିଥିବା ଆବେଦନରେ ‘କାଲା ହିରଣ’ ନିର୍ମାତା ନିଜ ପକ୍ଷରେ କହିଛନ୍ତି ଯେ ସେ କେବଳ ପୋଷ୍ଟର ରିଲିଜ୍ କରିଛନ୍ତି । ସଲମାନଙ୍କ ଆବେଦନ କେବଳ ଏକ ପୋଷ୍ଟର୍ ଉପରେ ଆଧାରିତ । ଫିଲ୍ମ ରିଲିଜ୍ ହେବାକୁ ବହୁତ ସମୟ ବାକି ଅଛି । ଓକିଲ କହିଛନ୍ତି ଯେ ଏହା ଉପରେ ବିସ୍ତୃତ ଏବଂ ଔପଚାରିକ ଜବାବ ଯଥାଶୀଘ୍ର ଦାଖଲ କରାଯିବ । ବିଚାରପତି ଏହି ଜବାବରେ କ୍ଷୋଭ ପ୍ରକାଶ କରି ଏହାକୁ ମୌଖିକ ଭାବରେ ଉପସ୍ଥାପନ ନକରି ଲିଖିତ ଆକାରରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପାଞ୍ଚ ମିନିଟ୍ ମଧ୍ୟରେ ପ୍ରତିପକ୍ଷ ତାଙ୍କର ଜବାବ ଦାଖଲ କରିଥିଲେ ।କୋର୍ଟରେ ଯୁକ୍ତି ଉପସ୍ଥାପନ କରିବା ସମୟରେ, ସଲମାନ ଖାନଙ୍କ ଓକିଲ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରିଥିଲେ। ସେ ଯୁକ୍ତି ଦେଇଥିଲେ ଯେ ଏହା ସଲମାନ ଖାନଙ୍କ 'ବ୍ୟକ୍ତିଗତ ଅଧିକାର'ର ଉଲ୍ଲଂଘନର ଏକ ସ୍ପଷ୍ଟ ମାମଲା। ସଲମାନଙ୍କ ଓକିଲ ଜୋର ଦେଇଥିଲେ ଯେ କୋର୍ଟ ଅତି କମରେ, ଅଭିନେତାଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଚଳଚ୍ଚିତ୍ର ନିର୍ମାତାଙ୍କ ଠାରୁ ଏକ ବୟାନ ରେକର୍ଡ କରିବା ଉଚିତ ଯାହା ନିଶ୍ଚିତ କରିବ ଯେ ସେମାନେ ବର୍ତ୍ତମାନ ପାଇଁ ଚଳଚ୍ଚିତ୍ର ମୁକ୍ତିଲାଭ କରୁନାହାଁନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ ।