ଭୁବନେଶ୍ୱର:ଓଡ଼ିଆ ଚଳଚ୍ଚିତ୍ର ହେଉଛି ଆମ ଜାତିର ଅସ୍ମିତାର ପରିଚୟ । ଏହାର ସର୍ବାଙ୍ଗୀନ ବିକାଶ ତଥା କଳାକାରମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ନୂତନ ‘ଚଳଚ୍ଚିତ୍ର ନୀତି’ ପ୍ରଣୟନ କରିବାକୁ ଯାଉଛନ୍ତି । ଯଦି ଓଡ଼ିଆ ଫିଲ୍ମ ସିନେମା ହଲରୁ ବାହାର କରି ଆଉ କୌଣସି ସିନେମାକୁ ପ୍ରଚାର କରାଯାଏ ତେବେ ସରକାରୀ ସ୍ତରରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଶନିବାର ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ।
ଓଡ଼ିଆ ସିନେମାର ସାମ୍ପ୍ରତିକ ସ୍ଥିତି ଓ ଏହାର ବିକାଶ ନେଇ ନିକଟରେ ଚଳଚ୍ଚିତ୍ର ଜଗତର ପ୍ରତିଭାମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । କଳାକାରମାନଙ୍କ ସୁରକ୍ଷା ଓ ଉନ୍ନତମାନର ସିନେମା ନିର୍ମାଣ ପାଇଁ ବୈଷୟିକ ସହାୟତା ଯୋଗାଇଦେବାକୁ ସରକାର ସଂକଳ୍ପବଦ୍ଧ ଏବଂ ଏହି ଦିଗରେ ଖୁବ୍ଶୀଘ୍ର ଏକ ଶୁଭ ଖବର ମିଳିବ । ମୁଖ୍ୟମନ୍ତ୍ରୀ ଓଟିଟି ପ୍ଲାଟଫର୍ମର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ଯୋଗାଇଦେବା ସହ କଳିଙ୍ଗ ଷ୍ଟୁଡ଼ିଓକୁ ଦେଶର ଏକ ପ୍ରମୁଖ ଡିଜିଟାଲ୍ ଏବଂ ପୋଷ୍ଟ-ପ୍ରଡକ୍ସନ ହବ୍ରେ ପରିଣତ କରାଯାଉଛି, ଯେପରି ଆମ ପିଢ଼ିକୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଏଥିସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ସିନେମା ଟୁରିଜିମ୍ (Cinema Tourism) ର ବିକାଶ କରିବାକୁ ସେ ଦେଶ ଓ ରାଜ୍ୟର ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଉଭୟ ପ୍ରଯୋଜକ ଓ ଦର୍ଶକମାନଙ୍କୁ ଓଡ଼ିଆ ସିନେମାର ପୃଷ୍ଠପୋଷକତା ସାଜିବାକୁ ଅନୁରୋଧ କରିଛନ୍ତି । ପ୍ରଯୋଜକମାନେ ଆଧୁନିକତା ସହ ଓଡ଼ିଆ ସମାଜ ଓ ସଂସ୍କୃତିର ମୌଳିକ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି । ଦର୍ଶକମାନଙ୍କୁ ସିନେମା ହଲ୍କୁ ଯାଇ ଓଡ଼ିଆ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସମସ୍ତେ ଟିମ୍ ଓଡ଼ିଶା ହୋଇ କାମ କରିବା । ଆମ ପାଖରେ ଅର୍ଥର କୌଣସି ଅସୁବିଧା ନାହିଁ । ଆମ ସରକାର ଆପଣକଂ ମତାମତକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଥିଲେ ଯେ ଓଡ଼ିଆ ଫିଲ୍ମ ସିନେମା ହଲରୁ ବାହାର କରି ଯଦି ଆଉ କୌଣସି ସିନେମାକୁ ପ୍ରଚାର କରାଯାଏ ତେବେ ସରକାରୀ ସ୍ତରରେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ।
ଏହି ସମାରୋହରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ଅରେଞ୍ଜ ଇକୋନୋମିକୁ ବୃଦ୍ଧି କରିବାରେ ସହାୟକ ହେବ । ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଅନୁଷ୍ଠାନକୁ ଆଗାମୀ ଦିନରେ ଦକ୍ଷ ମାନବ ସମ୍ବଳ ଯୋଗାଇଦିଆଯିବ । ସିନେ କଳାକାର କେବଳ ନିଜ କଳା ପାଇ ପାରିଶ୍ରମିକ ପାଆନ୍ତି ନାହିଁ ମାତ୍ର ଓଡ଼ିଶାର ସଂସ୍କୃତିକୁ ଆଗେଇନେବା ପାଇଁ ଗୁରୁତ୍ୱ ଭୂମିକା ଗ୍ରହଣ କରିଥାନ୍ତି ।
ଏହି ସମାରୋହରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ବିକଶିତ ଓଡ଼ିଶାର ନିର୍ମାଣ ସେତେବେଳେ ହେବ ଯେତେବେଳେ ଓଡ଼ିଆ ସିନେ ଜଗତର ଉନ୍ନତି ଘଟିବ । ସରକାର ଆଜି ଓଡ଼ିଆ ସିନେ ଜଗତର ପୁନରୁଦ୍ଧାର ପାଇ ସଂକଳ୍ପବଦ୍ଧ ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ଉନ୍ନତି ପାଇ ପ୍ରତ୍ୟେକ କଳାକାରଙ୍କ ମତାମତ ସ୍ୱାଗତଯୋଗ୍ୟ ।
ଏହି ଉତ୍ସବରେ, ଦିଗପହଣ୍ଡିର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, କୋରେଇର ବିଧାୟକ ଶ୍ରୀ ଆକାଶ ଦାସ ନାୟକ ଏବଂ ଏକାମ୍ର-ଭୁବନେଶ୍ବରର ବିଧାୟକ ଶ୍ରୀ ବାବୁ ସିଂ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ବହୁ ବରିଷ୍ଠ କଳାକାର, ସିନେ ଟେକ୍ନିସିଆନ, କଳାପ୍ରେମୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।