ହାଇଦ୍ରାବାଦ: ‘କେଜିଏଫ୍’ ଷ୍ଟାର୍ ୟଶ୍ଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ୍: ଅ ଫେରିଟେଲ୍ ଫର୍ ଗ୍ରୋନ୍ ଅପ୍ସର ରିଲିଜ୍ ତାରିଖକୁ ନେଇ ଶେଷରେ ସବୁ ସସପେନ୍ସର ଅନ୍ତ ଘଟିଛି। ନିର୍ମାତାଙ୍କ ପକ୍ଷରୁ ଚଳଚ୍ଚିତ୍ରର ନୂଆ ରିଲିଜ୍ ଡେଟ୍ ଘୋଷଣା କରାଯାଇଛି। ବାରମ୍ବାର ଘୁଞ୍ଚିବା ପରେ ଏବେ ଫାଇନାଲ୍ ହୋଇଛି ଯେ, ଆସନ୍ତା ୨୬ ଅଗଷ୍ଟ ୨୦୨୬ରେ ‘ଟକ୍ସିକ୍’ ବିଶ୍ୱବ୍ୟାପୀ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ଦୀର୍ଘ ଦିନରୁ ଅପେକ୍ଷା କରିଥିବା ୟଶ୍ଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ନୂଆ ପୋଷ୍ଟରରେ ୟଶ୍ଙ୍କ ଦମଦାର୍ ଲୁକ୍, ଲେଖାଅଛି ବିଶେଷ ବାର୍ତ୍ତା
ରିଲିଜ୍ ତାରିଖ ଘୋଷଣା ସହ ସୁପରଷ୍ଟାର୍ ୟଶ୍ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଏକ ଆକର୍ଷଣୀୟ ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ୟଶ୍ଙ୍କ ଦୁଇଟି ଭିନ୍ନ ଲୁକ୍ ଦେଖିବାକୁ ମିଳୁଛି। ଗୋଟିଏ ଲୁକ୍ରେ ସେ ଲମ୍ବା ଦାଢ଼ି ଓ ନିଶରେ ନଜର ଆସୁଥିବା ବେଳେ ଅନ୍ୟଟିରେ ବିନା ଦାଢ଼ି-ନିଶ ଏବଂ ଲମ୍ବା କେଶରେ ବେଶ୍ ଷ୍ଟାଇଲିସ୍ ଦେଖାଯାଉଛନ୍ତି। ଏହି ନୂଆ ପୋଷ୍ଟରରେ ରିଲିଜ୍ ତାରିଖ ସହିତ ଏକ ବିଶେଷ ବାର୍ତ୍ତା ଲେଖାଯାଇଛି— “ପିତାଙ୍କୁ ସମ୍ମାନ କର।”
ଫିଲ୍ମରେ ନଜର ଆସିବେ ବଲିଉଡ ଓ ସାଉଥ୍ର ନାମୀ ଅଭିନେତ୍ରୀ
ଏହି ଚଳଚ୍ଚିତ୍ରରେ କେବଳ ୟଶ୍ ନୁହନ୍ତି, ବରଂ ବଲିଉଡ୍ ଏବଂ ସାଉଥ୍ ସିନେମାର ଅନେକ ଜଣାଶୁଣା ଅଭିନେତ୍ରୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଷ୍ଟାର୍କାଷ୍ଟରେ ନୟନତାରା, କିଆରା ଆଡଭାନୀ, ହୁମା କୁରେଶୀ, ତାରା ସୁତାରିଆ ଏବଂ ରୁକ୍ମିଣୀ ବସନ୍ତ ସାମିଲ ଅଛନ୍ତି। ଗୀତୁ ମୋହନଦାସ ଏହି ମେଗା ବଜେଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ୟଶ୍ ନିଜେ ଏହାର କାହାଣୀ ଲେଖିଛନ୍ତି। କେଭିଏନ୍ ଏବଂ ଆରଏସୱାଇ ବ୍ୟାନରରେ ଏହି ଫିଲ୍ମର ନିର୍ମାଣ ହୋଇଛି।
କାହିଁକି ବାରମ୍ବାର ବଦଳୁଥିଲା ‘ଟକ୍ସିକ୍’ର ରିଲିଜ୍ ଡେଟ୍?
ପୂର୍ବରୁ ନିର୍ମାତାମାନେ ‘ଟକ୍ସିକ୍’କୁ ୧୯ ମାର୍ଚ୍ଚରେ ରିଲିଜ୍ କରିବାକୁ ଯୋଜନା କରିଥିଲେ। କିନ୍ତୁ ସେହି ଦିନ ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଧୁରନ୍ଧର ୨’ ମୁକ୍ତିଲାଭ କରୁଥିବାରୁ ବକ୍ସ ଅଫିସ୍ ସଂଘର୍ଷକୁ ଏଡ଼ାଇବା ପାଇଁ ଏହାର ତାରିଖ ଘୁଞ୍ଚାଇ ୪ ଜୁନ୍ ୨୦୨୬ କରାଯାଇଥିଲା।
ତେବେ ୪ ଜୁନ୍ର କିଛି ଦିନ ପୂର୍ବରୁ ଏହି ତାରିଖକୁ ମଧ୍ୟ ବାତିଲ କରାଯାଇଥିଲା। ୟଶ୍ ଏକ ପୋଷ୍ଟ ଜରିଆରେ କହିଥିଲେ ଯେ, ସେ ଫିଲ୍ମର ଗୁଣବତ୍ତା ସହ କୌଣସି ସାଲିସ କରିବାକୁ ଚାହାନ୍ତି ନାହିଁ। ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ଏବଂ ବିଶ୍ୱସ୍ତରୀୟ ରିଲିଜ୍ ରଣନୀତି ଅନୁଯାୟୀ ଏହାକୁ ପରଦାକୁ ଆଣିବେ। ଆଉ ଏବେ ଅଗଷ୍ଟ ୨୬ ତାରିଖ ଫାଇନାଲ୍ ହେବା ପରେ ପ୍ରଶଂସକଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି।