ଟଲିଉଡ୍ ସୁପରଷ୍ଟାର୍ ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ନିଜର ଏକ ସାକ୍ଷାତକାରରେ ବଲିଉଡ୍ ନିର୍ଦ୍ଦେଶକ-ପ୍ରଯୋଜକ ଆଦିତ୍ୟ ଧର ଏବଂ ରଣବୀର ସିଂହ ଷ୍ଟାରର୍ ଫିଲ୍ମ ‘ଧୁରନ୍ଧର’ ର ବହୁତ ପ୍ରଶଂସା କରିଛନ୍ତି । ଏହାସହ ସେ ହିନ୍ଦୀ ହରର୍ ଫିଲ୍ମ ‘ବାରାମୁଲା’ ର ଉଲ୍ଲେଖ କରି ୧୯୮୦ ଦଶକ ଶେଷ ଭାଗରେ ନିଜର ଶ୍ରୀନଗର ଯାତ୍ରା ଏବଂ ମାତ୍ର ୧୭ ବର୍ଷ ବୟସରେ ନକ୍ସଲ ହେବାକୁ ନେଇ କରିଥିବା ଚିନ୍ତାଧାରା ବିଷୟରେ ବଡ଼ ଖୁଲାସା କରିଛନ୍ତି ।
ହରର୍ ଫିଲ୍ମ ପସନ୍ଦ କରନ୍ତି ପବନ କଲ୍ୟାଣ
ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା ବେଳେ ୫୪ ବର୍ଷୀୟ ଅଭିନେତା ପବନ କଲ୍ୟାଣ କହିଛନ୍ତି, "ମତେ ହରର୍ ଫିଲ୍ମ ପସନ୍ଦ, କାରଣ ଏହା ମତେ ବାନ୍ଧି ରଖେ ଏବଂ ଅନ୍ୟ କିଛି ଚିନ୍ତା କରିବାକୁ ଦିଏନାହିଁ । ମୋ ମନକୁ ଏହା ବାନ୍ଧି ରଖେ, ନଚେତ୍ ମୋ ମନ ଏଣେତେଣେ ଯିବାକୁ ଲାଗେ । ଯେତେବେଳେ ମତେ ନିଦ ଆସେନାହିଁ, ମୁଁ ହରର୍ ଫିଲ୍ମ ଦେଖେ ଏବଂ ହଠାତ୍ ମୋ ମନ ଶାନ୍ତ ହୋଇଯାଏ ।"
ସେ ୨୦୨୫ ମସିହାର ଫିଲ୍ମ ‘ବାରାମୁଲା’ର କାହାଣୀ କହିବା ଶୈଳୀକୁ ଚମତ୍କାର ବୋଲି କହିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଆଦିତ୍ୟ ସୁହାସ ଜାମ୍ଭଲେ ଦେଇଥିବା ବେଳେ ଆଦିତ୍ୟ ଧର ଏହାର ସହ-ପ୍ରଯୋଜନା କରିଥିଲେ ।
କଶ୍ମୀରରେ ବିତାଇଥିବା ସମୟ ଓ କଶ୍ମୀରୀ ପଣ୍ଡିତଙ୍କ କଥା
ପବନ କଲ୍ୟାଣ ପୁରୁଣା ସ୍ମୃତି ଚାରଣ କରି କହିଛନ୍ତି ଯେ ୧୯୮୭ ରୁ ୧୯୮୯ ମସିହା ମଧ୍ୟରେ କିଛି ଦିନ ସେ କଶ୍ମୀରରେ ବିତାଇଥିଲେ । ସେତେବେଳେ ସେଠାରେ ତେଲୁଗୁ ଫିଲ୍ମର ସୁଟିଂ ଚାଲିଥିଲା ଏବଂ ସେ ଜଣେ କିଶୋର ଥିଲେ । ତାଙ୍କୁ ସେତେବେଳେ ‘ପବନ’ ନୁହେଁ ବରଂ ‘କଲ୍ୟାଣ’ ନାମରେ ଲୋକେ ଜାଣିଥିଲେ । ସେ ସେଠାରେ ଲଜିଷ୍ଟିକ୍ସ ଓ କିଣାକିଣି କାମ ବୁଝୁଥିଲେ ।
ସୁଟିଂ ସମୟରେ ସେ ଘାଟିରେ ଧୀରେ ଧୀରେ ବଢ଼ୁଥିବା ଅଶାନ୍ତି ଓ ତିକ୍ତତାକୁ ଅନୁଭବ କରିଥିଲେ । ସେ କହିଛନ୍ତି:
"୧୯୮୯ ମସିହାରେ ସେଠାକାର ଜଣେ ସ୍ଥାନୀୟ ବ୍ୟକ୍ତି ମତେ କହିଥିଲେ— 'ମୁଁ ଜଣେ ପଣ୍ଡିତ । ପରିସ୍ଥିତି ଦିନକୁ ଦିନ ଜଟିଳ ଓ କଠିନ ହେବାରେ ଲାଗିଛି । ମୁଁ ଜାଣିପାରୁନାହିଁ ଆମ ଅଞ୍ଚଳରେ କ’ଣ ଚାଲିଛି ଏବଂ ଆଗକୁ ଆମେ କ’ଣ କରିବୁ, କ’ଣ ହେବ ।' ସେତେବେଳେ ମୁଁ ସେହି ସାମାନ୍ୟ ହଲଚଲ ଦେଖିଥିଲି ଏବଂ କଶ୍ମୀରୀ ପଣ୍ଡିତଙ୍କ ଦୁଃଖକୁ ଅନୁଭବ କରିଥିଲି ।"
"ମୁଁ ବନ୍ଧୁକ ଉଠାଇ ନକ୍ସଲ ହେବାକୁ ଚାହୁଁଥିଲି"
୧୯୯୬ ମସିହାରେ ଫିଲ୍ମ ‘ଅକ୍ସଡା ଆମାୟୀ ଇକ୍ସଡା ଆବ୍ବାୟି’ରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିବା ପବନ କଲ୍ୟାଣ ଜଣାଇଛନ୍ତି ଯେ ଯୁବାବସ୍ଥାରେ ସେ ଏକ ଭିନ୍ନ ରାସ୍ତା ବାଛିବାକୁ ଯାଉଥିଲେ ।
ସେ କହିଛନ୍ତି, "ମୁଁ ନକ୍ସଲମାନଙ୍କ ସହ ସାମିଲ ହେବା କଥା ଚିନ୍ତା କରିଥିଲି । ୧୭ ରୁ ୨୧ ବର୍ଷ ବୟସ ମଧ୍ୟରେ ମୋ ମନରେ ଅନ୍ୟାୟ ବିରୁଦ୍ଧରେ ବହୁତ କ୍ରୋଧ ଥିଲା ଏବଂ ମୁଁ ବନ୍ଧୁକ ଉଠାଇବାକୁ ଚାହୁଁଥିଲି । ମୋ ମନରେ କିଛି ଚାଲିଥିଲା ଏବଂ ମୁଁ ପାଗଳ ପ୍ରାୟ ହେଉଥିଲି ।"
ବଡ଼ ଭାଇ ଚିରଞ୍ଜୀବୀଙ୍କ କଥା ଶୁଣି ଚୁପ୍ ରହିଗଲେ ପବନ
ଏହି ସମୟରେ ତାଙ୍କ ବଡ଼ ଭାଇ ତଥା ମେଗାଷ୍ଟାର୍ ଚିରଞ୍ଜୀବୀ ତାଙ୍କ ଜୀବନରେ ହସ୍ତକ୍ଷେପ କରିଥିଲେ ଏବଂ ତାଙ୍କୁ କିଛି ଭଲ କାମ କରିବା ପାଇଁ ପ୍ରେରଣା ଦେଇଥିଲେ । ଚିରଞ୍ଜୀବୀ ତାଙ୍କୁ ବୁଝାଇ ଗୋଟିଏ ପ୍ରଶ୍ନ ପଚାରିଥିଲେ:
"ଯଦି ତୁମର ବଡ଼ ଭାଇ ଚିରଞ୍ଜୀବୀ ନଥାନ୍ତେ, ଯଦି ତୁମ ଉପରେ ପରିବାରର ଦାୟିତ୍ୱ ଥାନ୍ତା ଏବଂ କେହି ତୁମର ଦରମା ବା ପରିଶ୍ରମ ଉପରେ ନିର୍ଭର କରୁଥାନ୍ତେ, ତେବେ କ’ଣ ତୁମେ ଏବେ ଯାହା କରୁଛ (ନକ୍ସଲ ହେବା କଥା) ତାହା କରିପାରିଥାନ୍ତ କି?"
ପବନ କଲ୍ୟାଣ କହିଛନ୍ତି, "ଏହି ପ୍ରଶ୍ନର ମୋ ପାଖରେ କୌଣସି ଉତ୍ତର ନଥିଲା, ମୁଁ ସମ୍ପୂର୍ଣ୍ଣ ଚୁପ୍ ହୋଇଗଲି । ଭାଇ ଚିରଞ୍ଜୀବୀ ହିଁ ମୋର ଏକମାତ୍ର ହିରୋ । ଯେତେବେଳେ ମୁଁ ତାଙ୍କ ପାଖରେ ଠିଆ ହୁଏ, ମୁଁ ନିଜେ ଜଣେ ହିରୋ ବୋଲି ଭୁଲିଯାଏ ।"