ଫିଲ୍ମ 'ଡନ୍ ୩' ଛାଡ଼ିବା ପରେ ସୁପରଷ୍ଟାର ରଣବୀର ସିଂହଙ୍କ ଉପରେ FWICE ଦ୍ୱାରା ଲଗାଯାଇଥିବା ‘ଅସହଯୋଗ ପ୍ରତିବନ୍ଧକ’ କୁ ହଟାଇ ଦିଆଯାଇଛି । IMPPA ର ମଧ୍ୟସ୍ଥତା ଏବଂ ବୁଝାମଣା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଚର୍ଚ୍ଚା ହେଉଛି ଯେ ରଣବୀରଙ୍କ ଲିଗାଲ ନୋଟିସ୍ କାରଣରୁ FWICE ବ୍ୟାକଫୁଟ୍କୁ ଆସିଛି, ଯଦିଓ ଏହାର ଆଧିକାରୀକ ସ୍ପଷ୍ଟୀକରଣ ମିଳିବା ବାକି ଅଛି ।
ବିବାଦର ପୃଷ୍ଠଭୂମି: କାହିଁକି ଲାଗିଥିଲା ପ୍ରତିବନ୍ଧକ?
ବଲିଉଡର ‘ଧୁରନ୍ଧର’ ଅଭିନେତା ରଣବୀର ସିଂହଙ୍କୁ ନେଇ ଗତ କିଛି ଦିନ ହେବ ଚାଲିଥିବା ବିବାଦର ଶେଷରେ ସମାଧାନ ହୋଇଛି । ଫରହାନ ଅଖତରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଡନ୍ ୩’ରୁ ରଣବୀର ହଠାତ୍ ଓହରିଯିବା ପରେ ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE) ନାରାଜ ହୋଇଯାଇଥିଲା ।
ଏହି କାରଣରୁ ଗତ ୨୫ ମେ ୨୦୨୬ ରେ FWICE ରଣବୀରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି 'ନନ୍-କୋଅପରେସନ୍ ଡାଇରେକ୍ଟିଭ୍' (NCD) ଜାରି କରିଥିଲା । ଏହାର ସିଧାସଳଖ ଅର୍ଥ ଥିଲା ଯେ, ଚଳଚ୍ଚିତ୍ର ଜଗତର କୌଣସି ବି ଟେକ୍ନିସିଆନ୍, କଳାକାର କିମ୍ବା ଶ୍ରମିକ ରଣବୀର ସିଂହଙ୍କ ସହ କାମ କରିବେ ନାହିଁ । ଏହି ନିର୍ଦ୍ଦେଶ ପରେ ସାରା ଇଣ୍ଡଷ୍ଟ୍ରିରେ ହଲଚଲ ସୃଷ୍ଟି ହୋଇଥିଲା, କାରଣ ରଣବୀର ଜଣେ ଏ-ଲିଷ୍ଟ (A-list) ଅଭିନେତା ଏବଂ ଏହି ବ୍ୟାନ୍ ଯୋଗୁଁ ତାଙ୍କର ଅନେକ ଆଗାମୀ ବଡ଼ ବଡ଼ ଫିଲ୍ମର ଭବିଷ୍ୟତ ବିପଦରେ ପଡ଼ିଯାଇଥିଲା ।
ବିବାଦ ସମାଧାନରେ IMPPA ର ମୁଖ୍ୟ ଭୂମିକା
ମାମଲା ଅଧିକ ଗମ୍ଭୀର ହେବା ପରେ ଚଳଚ୍ଚିତ୍ର ନିର୍ମାତାମାନଙ୍କର ସବୁଠାରୁ ପୁରୁଣା ତଥା ବଡ଼ ସଂଗଠନ ‘ଇଣ୍ଡିଆନ୍ ମୋସନ୍ ପିକ୍ଚର୍ ପ୍ରୋଡ୍ୟୁସର୍ସ ଆସୋସିଏସନ୍’ (IMPPA) ଏଥିରେ ହସ୍ତକ୍ଷେପ କରିଥିଲା ।
• IMPPA ର ସଭାପତି ଅଭୟ ସିହ୍ନା ଏହି ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପଦକ୍ଷେପ ନେଇଥିଲେ ।
• ୩୦ ମେ ୨୦୨୬ ରେ IMPPA ପକ୍ଷରୁ FWICE ର ସଭାପତି ବି.ଏନ୍. ତିୱାରୀଙ୍କୁ ଏକ ଚିଠି ଲେଖାଯାଇଥିଲା । ଏହି ଚିଠିରେ ସେ ଅପିଲ୍ କରିଥିଲେ ଯେ ଫିଲ୍ମ ଇଣ୍ଡିଷ୍ଟ୍ରି ଏକ ପରିବାର ସଦୃଶ ଏବଂ ଏଠାରେ ସମସ୍ତଙ୍କର ଅସ୍ତିତ୍ୱ ପରସ୍ପର ସହ ଜଡ଼ିତ ।
• ପ୍ରଯୋଜକମାନଙ୍କ ସୁରକ୍ଷା ଇଣ୍ଡଷ୍ଟ୍ରି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ତେଣୁ ଏହି ବିଷୟକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାଯାଉ ବୋଲି ସେ ଅନୁରୋଧ କରିବା ସହ ରଣବୀରଙ୍କ ଉପରୁ ବ୍ୟାନ୍ ହଟାଇବାକୁ କହିଥିଲେ ।
FWICE ର ଆଧିକାରୀକ ବ୍ୟାନ
IMPPAର ଏହି ଅନୁରୋଧକୁ ସ୍ୱୀକାର କରି ୧ ଜୁନ୍ ୨୦୨୬ ରେ FWICE ପ୍ରତିବନ୍ଧକ ହଟାଇବା ପାଇଁ ସହମତି ପ୍ରକାଶ କରିଥିଲା । ଏହାପରେ ଆଜି ଅର୍ଥାତ୍ ୩ ଜୁନ୍ ୨୦୨୬ ରେ ମୁମ୍ବାଇରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ ଏହାର ଆନୁଷ୍ଠାନିକ ଘୋଷଣା କରାଯାଇଛି ।
FWICE କହିଛି କହିଛି ଯେ, "ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ ସର୍ବଦା ଚଳଚ୍ଚିତ୍ର ଜଗତର ଶ୍ରମିକ, ଟେକ୍ନିସିଆନ୍ ଏବଂ କଳାକାରମାନଙ୍କ ଅଧିକାରର ସୁରକ୍ଷା ପାଇଁ ଛିଡ଼ା ହୋଇଆସିଛି । କିନ୍ତୁ ଇଣ୍ଡଷ୍ଟ୍ରିରେ ଶାନ୍ତି, ଏକତା ଏବଂ ଭାଇଚାରା ବଜାୟ ରଖିବା ମଧ୍ୟ ଆମର ଏକ ବଡ଼ ଦାୟିତ୍ୱ । IMPPA ଏବଂ ଏହାର ସଭାପତି ଅଭୟ ସିହ୍ନାଙ୍କ ସଠିକ୍ ସମୟରେ ହସ୍ତକ୍ଷେପ ଏବଂ ମାର୍ଗଦର୍ଶନକୁ ଦୃଷ୍ଟିରେ ରଖି, ଆମେ ରଣବୀର ସିଂହଙ୍କ ବିରୋଧରେ ଜାରି ହୋଇଥିବା 'ନନ୍-କୋଅପରେସନ୍ ଡାଇରେକ୍ଟିଭ୍'କୁ ତୁରନ୍ତ ପ୍ରତ୍ୟାହାର କରିନେଉଛୁ ।"
ଫିଲ୍ମ ଏବଂ ପ୍ରୋଜେକ୍ଟ ଉପରେ ଏହାର ପ୍ରଭାବ
ଏହି ବ୍ୟାନ୍ ହଟିବା ପରେ ରଣବୀର ସିଂହଙ୍କ ପ୍ରଶଂସକ ଏବଂ ଫିଲ୍ମ ନିର୍ମାତାମାନେ ଆଶ୍ୱସ୍ତ ହୋଇଛନ୍ତି । ଯଦି ଏହି ବିବାଦ ଦୀର୍ଘ ସମୟ ଧରି ଚାଲିଥାନ୍ତା, ତେବେ ରଣବୀରଙ୍କ ଆଗାମୀ ଅନେକ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଥାନ୍ତା, ଯାହାଦ୍ୱାରା କୋଟି କୋଟି ଟଙ୍କାର କ୍ଷତି ହେବା ନିଶ୍ଚିତ ଥିଲା । କିନ୍ତୁ ବର୍ତ୍ତମାନ ତାଙ୍କର ଅନ୍ୟାନ୍ୟ ପ୍ରୋଜେକ୍ଟଗୁଡ଼ିକ କୌଣସି ବାଧାବିଘ୍ନ ବିନା ସମ୍ପୂର୍ଣ୍ଣ ହୋଇପାରିବ ।
ରଣବୀରଙ୍କ ନୋଟିସ୍ ଚର୍ଚ୍ଚା
ଭିତର ମହଲରେ ଏଭଳି ମଧ୍ୟ ଆଲୋଚନା ହେଉଛି ଯେ ରଣବୀର ସିଂହ ଏହି କଥିତ ବ୍ୟାନ୍ ବିରୋଧରେ FWICE କୁ ଏକ ଲିଗାଲ ନୋଟିସ୍ ପଠାଇଥିଲେ, ଯାହା ଯୋଗୁଁ ସଂଗଠନ ବ୍ୟାକଫୁଟ୍କୁ ଆସି ବ୍ୟାନ୍ ହଟାଇବାକୁ ବାଧ୍ୟ ହେଲା । କିନ୍ତୁ ଏହି ନୋଟିସ୍ ବାବଦରେ ନା FWICE ନିଜ ପ୍ରେସ୍ କନଫରେନ୍ସରେ କିଛି କହିଛି, ନା ରଣବୀରଙ୍କ ଟିମ୍ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇଛି ।