ବଲିଉଡ୍ ଅଭିନେତା ଦୀପକ ତିଜୋରୀ ତାଙ୍କର ପ୍ରିୟ ବନ୍ଧୁ ତଥା ଫିଲ୍ମ 'ଆଶିକି'ର ସହ-କଳାକାର ରାହୁଲ ରୟଙ୍କ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ଥିତିକୁ ନେଇ ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ମାଧ୍ୟମରେ ଚାଲିଥିବା ବିଭିନ୍ନ ଗୁଜବ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ରାହୁଲ ରୟ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି, ଏବଂ ତାଙ୍କୁ ନେଇ ପ୍ରକାଶ ପାଉଥିବା ଅନେକ ଖବର ସତ୍ୟତାଠାରୁ ବହୁ ଦୂରରେ ।
ଏକ ସାକ୍ଷାତକାରରେ ଦୀପକ କହିଛନ୍ତି ଯେ ସେ ନିୟମିତ ଭାବେ ରାହୁଲଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେ କହିଛନ୍ତି, "ମୁଁ ରୟଙ୍କ ସହିତ ସବୁବେଳେ କଥାବାର୍ତ୍ତା ହେଉଛି । ରୟ ଆଜି ବି ମୋର ଭାଇ ଏବଂ ମୋର ବନ୍ଧୁ । ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଭଲ ଅଛନ୍ତି ।"
ବିନା କୌଣସି କାରଣରେ ସେଲିବ୍ରିଟିମାନଙ୍କୁ ନେଇ ମିଥ୍ୟା ଖବର ପ୍ରସ୍ତୁତ କରାଯାଉଥିବାରୁ ଦୀପକ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଅଭିନେତାମାନଙ୍କୁ ନେଇ ଅନେକ ସମୟରେ ଏଭଳି କାହାଣୀ ତିଆରି କରାଯାଏ ଯାହାର ସତ୍ୟତା ନଥାଏ । ପୂର୍ବରୁ ତାଙ୍କ ନିଜ ବିଷୟରେ ମଧ୍ୟ ଅନେକ ମିଥ୍ୟା କଥା ଲେଖାଯାଇଛି, ତେଣୁ ଏହା ଏହି ବୃତ୍ତିର ଏକ ଅଂଶ ପାଲଟିଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ବର୍ଷ ୨୦୨୦ରେ କାର୍ଗିଲ୍ରେ ଏକ ସୁଟିଂ ସମୟରେ ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକ୍ (Brain Stroke) ର ଶିକାର ହୋଇଥିଲେ । ଏହା ପରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ସେ ଧୀରେ ଧୀରେ ସୁସ୍ଥ ହୋଇ ପୁଣି କାମକୁ ଫେରିଛନ୍ତି । ସମ୍ପ୍ରତି ତାଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କ ଶାରୀରିକ ସ୍ଥିତି ଓ କଥାବାର୍ତ୍ତାକୁ ନେଇ ଟ୍ରୋଲ୍ କରିବା ସହ ବିଭିନ୍ନ ଗୁଜବ ସୃଷ୍ଟି କରିଥିଲେ, ଯାହା ଉପରେ ଏବେ ଦୀପକ ତିଜୋରୀ ସ୍ପଷ୍ଟୀକରଣ ଦେଇ ବିରାମ ଲଗାଇଛନ୍ତି ।