ମୁମ୍ବାଇ: ‘ଆଖେଁ’, ‘ବିୱି ନଂ ୧’, ‘ବୋଲ୍ ରାଧା ବୋଲ୍’, ‘ଜୁଡ଼ୱା’, ‘ହିରୋ ନଂ ୧’ ଭଳି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିବା ବଲିଉଡର ଜଣେ ଆଗଧାଡ଼ିର ନିର୍ଦ୍ଦେଶକ ଡେଭିଡ୍ ଧାୱନ୍ ସନ୍ନ୍ୟାସ ଗ୍ରହଣ କରିଛନ୍ତି । ଶନିବାର ମୁମ୍ବାଇର ଏକ କାର୍ୟ୍ୟକ୍ରମରେ ତାଙ୍କର ଅବସର ଘୋଷଣା କରିଛନ୍ତି ।
ଦୀର୍ଘ ୬ ବର୍ଷ ପରେ ଡେଭିଡ୍ ଧାୱନ ପୁଣି ଏକ ସିନେମା ହେ ଜୱାନୀ ତୋ ଇସ୍କ ହୋନା ହେ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଏହା ତାଙ୍କର ଶେଷ ଫିଲ୍ମ ବୋଲି କୁହାଯାଉଛି । ଯେଉଁଥିରେ ତାଙ୍କ ପୁଅ ବରୁଣ ଧାୱନ, ଅଭିନେତ୍ରୀ ମୃଣାଳ ଠାକୁର, ପୂଜା ହେଗଡ଼େ ମୁଖ୍ୟ ଭୂମିକାରେ ରହିଛନ୍ତି ।
ନିର୍ଦ୍ଦେଶକ କରଣ ଜୋହର ଏକ ଭାବପୂର୍ଣ୍ଣ ପୋଷ୍ଟ ଲେଖିଛନ୍ତି । କରଣ ଲେଖିଛନ୍ତି, ଗତକାଲି ସେ ଡେଭିଡଙ୍କ କାର୍ୟ୍ୟକ୍ରମକୁ ଯାଇଥିଲେ । ଏହା ତାଙ୍କର ଶେଷ ସିନେମା ବୋଲି ଧାୱନ କହିଥିଲେ । ସିଏ ଜଣେ ଏମିତି ଚଳଚ୍ଚିତ୍ର ନିର୍ମାତା ଯିଏ ସବୁ ପ୍ରକାର ନୂଆ ଶୈଳୀରେ ସିନେମା ତିଆରି କରନ୍ତି । ଡେଭିଡଙ୍କ ସିନେମାର ଅର୍ଥ ଭରପୁର ମନୋରଞ୍ଜନ ବୋଲି କରଣ ଲେଖିଛନ୍ତି ।
ଡେଭିଡ୍ ୫୦ରୁ ଉର୍ଦ୍ଧ୍ୱ ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି । ୧୯୮୪ରେ ସେ “ସାରାଂଶ” ସିନେମାରେ ସମ୍ପାଦନା ଦାୟିତ୍ୱ ସମ୍ଭାଳିଥିଲେ । ଏହା ପରେ ସେ ନିର୍ଦ୍ଦେଶନାରେ ଖୁବ ଆଗକୁ ବଢ଼ିଛନ୍ତି । “ଆଖେଁ” ଚଳଚ୍ଚିତ୍ର ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ‘ତାକତୱାର’, ‘ଗୋଲା ବାରୁଦ’, ‘ଶୋଲା ଔର୍ ଶବନମ୍’, ‘ବୋଲ୍ ରାଧା ବୋଲ୍’, ‘ଆଖେଁ’, ‘ରାଜା ବାବୁ’, ‘କୁଲି ନଂ ୧’, ‘ଜୁଡ଼ୱା’, ‘ଘରୱାଲି ବାହାରୱାଲି’, ‘ବଡ଼େ ମିଆଁ ଛୋଟେ ମିଆଁ’, ‘ଯୋଡ଼ି ନଂ ୧’, ‘ଶାଦି ନଂ ୧’, ‘ପାର୍ଟନର୍’ ଭଳି ସିନେମା ଖୁବ ସଫଳତା ହାସଲ କରିଛି । ଡେଭିଡଙ୍କ ଯୋଡ଼ି ଅଧିକ ଗୋବିନ୍ଦାଙ୍କ ସହିତ ଜମିଥିଲା । ଗୋବିନ୍ଦାଙ୍କୁ ନେଇ ଡେଭିଡ୍ ୧୮ଟି ଫିଲ୍ମ ତିଆରି କରିଛନ୍ତି ।