ଫିଲ୍ମ ଏବଂ ଓଟିଟି (OTT) ପ୍ଲାଟଫର୍ମରେ ନିଜର ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତ୍ରୀ କୀର୍ତ୍ତି କୁଲ୍ହାରୀ ଏବେ ଏକ ଭିନ୍ନ କାରଣ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍ର ଶିକାର ହେଉଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ଏହି ବିବାଦ ଆରମ୍ଭ ହୋଇଛି, ଯେଉଁଠି ସେ ମେଡ୍ଙ୍କ ଦରମାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମୁମ୍ବାଇ ଭଳି ମହଙ୍ଗା ସହରରେ ଘରୋଇ ସହାୟିକାଙ୍କ ପରିଶ୍ରମକୁ କମ୍ କରି ଦେଖିଥିବାରୁ ସାଧାରଣ ଲୋକଙ୍କ ସହ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ କୀର୍ତ୍ତିଙ୍କ ଉପରେ ବର୍ଷିଛନ୍ତି।
ନୂଆ ଘରକୁ ସିଫ୍ଟ ହେବା ପରେ ବଢ଼ିଲା ଅସନ୍ତୋଷ:
ଏକ ସାକ୍ଷାତକାରରେ କୀର୍ତ୍ତି କହିଛନ୍ତି ଯେ, ସେ ନିକଟରେ ମୁମ୍ବାଇର ୟାରୀ ରୋଡ୍ ସ୍ଥିତ ଏକ ନୂଆ ଘରକୁ ସିଫ୍ଟ ହୋଇଛନ୍ତି। ସେଠାରେ ରୋଷେୟା ଏବଂ ମେଡ୍ ଯେଉଁ ଦରମା ମାଗିଲେ, ତାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କୀର୍ତ୍ତିଙ୍କ କହିବା ଅନୁଯାୟୀ, ଦିନକୁ ମାତ୍ର ଦୁଇ ଘଣ୍ଟାର କାମ ଯେମିତି କି - ଝାଡ଼ୁ, ପୋଛା, ବାସନ ମାଜିବା, ଡଷ୍ଟିଂ ଏବଂ କପଡ଼ା ସଫା କରିବା ପାଇଁ ମେଡ୍ ଜଣକ ମାସକୁ ୧୦,୦୦୦ ଟଙ୍କା ଦାବି କରିଥିଲେ। ସେ ନିଜ ମ୍ୟାନେଜରଙ୍କ ସହ ଏ ବିଷୟରେ ଚର୍ଚ୍ଚା କରି କହିଥିଲେ, "ମାତ୍ର ଦୁଇ ଘଣ୍ଟାର କାମ ପାଇଁ ଏହି ରେଟ୍ କେମିତି ଠିକ୍ ହୋଇପାରେ?"
"ଆମ ମୁହଁ ଦେଖି ଅଧିକ ପଇସା ମାଗୁଛନ୍ତି କି?"
କୀର୍ତ୍ତି ଭିଡିଓରେ ଆଗକୁ କହିଛନ୍ତି ଯେ, ସେ ଜଣେ ସେଲିବ୍ରିଟି ବା ଅଭିନେତ୍ରୀ ହୋଇଥିବାରୁ ଏବଂ ତାଙ୍କ ପାଖରେ ବହୁତ ପଇସା ଥିବ ଭାବି ହୁଏତ ଲୋକେ ତାଙ୍କୁ ଦେଖି ଅଧିକ ଦରମା ମାଗୁଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ଜଣେ ମାତ୍ର ଦୁଇ ଘଣ୍ଟା ପାଇଁ ଆସି ନିଜ ହିସାବରେ କାମ କରି ଚାଲିଯାଉଛି, ତେବେ ସେଥିପାଇଁ ୧୦,୦୦୦ ଟଙ୍କା ଚାର୍ଜ କରିବା କେତେଦୂର ଯୁକ୍ତିଯୁକ୍ତ? ତାଙ୍କର ଏହି ମନ୍ତବ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଆଦୌ ପସନ୍ଦ ଆସିନାହିଁ।
ଭାଇରାଲ୍ କ୍ଲିପ୍ ଉପରେ ଜନତାଙ୍କ ଜୋରଦାର କ୍ଲାସ୍:
ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଇଣ୍ଟରନେଟ୍ରେ ଲୋକେ କୀର୍ତ୍ତିଙ୍କୁ ଖୁବ୍ ସମାଲୋଚନା କରିଛନ୍ତି। ଅନେକ ୟୁଜର୍ସ ଯୁକ୍ତି ବାଢ଼ିଛନ୍ତି ଯେ, ମୁମ୍ବାଇ ଭଳି ସହରରେ, ଯେଉଁଠି ଜୀବନଶୈଳୀ ଏତେ ମହଙ୍ଗା, ସେଠାରେ ଏଭଳି କଠିନ ଶାରୀରିକ ପରିଶ୍ରମ ପାଇଁ ୧୦,୦୦୦ ଟଙ୍କା ଆଦୌ ବଡ଼ ରକମ ନୁହେଁ। ଜଣେ ୟୁଜର୍ ଲେଖିଛନ୍ତି, "ଏହା ଅଣ୍ଟାଭଙ୍ଗା ପରିଶ୍ରମ, ତେଣୁ ସେମାନଙ୍କୁ ସେମାନଙ୍କର ଉପଯୁକ୍ତ ପ୍ରାପ୍ୟ କାହିଁକି ମିଳିବ ନାହିଁ?" ଆଉ ଜଣେ ଲେଖିଛନ୍ତି ଯେ ସେଲିବ୍ରିଟିମାନେ ନିଜେ କୋଟି କୋଟି ଟଙ୍କା ନିଅନ୍ତି, କିନ୍ତୁ ଗରିବଙ୍କ ପରିଶ୍ରମ ବେଳକୁ ପଇସା ଗଣନ୍ତି।
ଅଭିନେତ୍ରୀ ମିନି ମାଥୁରଙ୍କ କଡ଼ା ଜବାବ:
ସାଧାରଣ ଲୋକଙ୍କ ବ୍ୟତୀତ ଜଣାଶୁଣା ଟିଭି ହୋଷ୍ଟ୍ ତଥା ଅଭିନେତ୍ରୀ ମିନି ମାଥୁର ମଧ୍ୟ କୀର୍ତ୍ତିଙ୍କ ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଘରୋଇ ସହାୟିକାମାନଙ୍କ ପକ୍ଷ ନେଇ ମିନି ଲେଖିଛନ୍ତି, "ଥରେ ଭାବି ଦେଖନ୍ତୁ, ସେମାନଙ୍କର ସେହି ଦୁଇ ଘଣ୍ଟାର ସାହାଯ୍ୟ ଯୋଗୁଁ ଆମେ ନିଜ ଦୁଇ ଘଣ୍ଟାରେ କେତେ ଟଙ୍କା ରୋଜଗାର କରିପାରୁଛୁ। ଏହି ଦରମା ଦୁନିଆର ଯେକୌଣସି ସର୍ବନିମ୍ନ ମଜୁରୀ ଠାରୁ ମଧ୍ୟ ବହୁତ କମ୍।" ମିନିଙ୍କ ଏହି ଜବାବକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା ମିଳୁଛି।