ନୂଆଦିଲ୍ଲୀ: ସୁଟରଙ୍କ ଟାର୍ଗେଟରେ ପ୍ରଖ୍ୟାତ ହାସ୍ୟ କଳାକାର କପିଲ ଶର୍ମା । କାଫେ ପରେ ଏବେ ବାସଭବନ ଉପରକୁ ଗୁଳି ମାଡ଼ । କପିଲ ଶର୍ମାଙ୍କ ପଞ୍ଜାବ ଅମୃତସରସ୍ଥିତ ବାସଭବନ ବାହାରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି । ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଘର ବାହାରେ ଗୁଳି ବର୍ଷା କରିଛନ୍ତି ।
ସୂତ୍ର ଅନୁସାରେ, ଅମୃତସରର ହୋଲି ସିଟି ଅଞ୍ଚଳରେ ଅବସ୍ଥିତ କପିଲ ଶର୍ମାଙ୍କ ଘର ବାହାରେ ଗୁଳି କାଣ୍ଡ ଘଟିଛି। ଏହି ସମୟରେ କପିଲଙ୍କ ପରିବାର ସଦସ୍ୟ ଘରେ ଥିଲେ । କିନ୍ତୁ କପିଲ ସୁଟିଂ ପାଇଁ ମୁମ୍ବାଇରେ ଥିଲେ ବୋଲି ଜଣାପଡ଼ିଛି । ସୌଭାଗ୍ୟବଶତଃ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ କପିଲଙ୍କ ଘରେ ପହଁଚି ଛାନଭିନ କରିଛି । ନିକଟସ୍ଥ ଲୋକଙ୍କ ପଚରା ଉଚରା କରିବା ସହିତ ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରିଛି । ପୋଲିସ ଅଧିକାରୀମାନେ ବର୍ତ୍ତମାନ ଏହି ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି ।
ଏହି ଘଟଣାକୁ କାନାଡାରେ ଘଟିଥିବା ଏକ ସଦ୍ୟ ଗୁଳିକାଣ୍ଡ ସହିତ ମଧ୍ୟ ଯୋଡ଼ା ଯାଉଛି । କିଛି ଦିନ ପୂର୍ବରୁ କାନାଡା ସ୍ଥିତ କପିଲଙ୍କ 'କ୍ୟାପ୍ସ କାଫେ' ବାହାରେ ମଧ୍ୟ ଏକ ଗୁଳିକାଣ୍ଡ ଘଟିଥିଲା। ଗତବର୍ଷ 10 ଜୁଲାଇରେ 'କ୍ୟାପ୍ସ କାଫେ'ର ଶୁଭ ଉଦଘାଟନ ହୋଇଥିଲା । ଉଦଘାଟନର ମାତ୍ର କିଛି ସମୟରେ ମଧ୍ୟରେ ଗୁଳି ମାଡ଼ କରାଯାଇଥିଲା । ଏହା ପରେ ମାସେ ନ ପୁରୁଣୁ ୭ ଅଗଷ୍ଟରେ 'କ୍ୟାପ୍ସ କାଫେ' ବାହାରେ ୨୫ ରାଉଣ୍ଡ ଗୁଳି କରାଯାଇଥିଲା । ସେହିପରି ଅକ୍ଟୋବର 16ରେ ତୃତୀୟ ଥର ପାଇଁ ବିଳମ୍ବିତ ରାତିରେ ଗୁଳି ମାଡ଼ ହୋଇଥିଲା । ପୁଣି ଥରେ ମେ ୨ରେ 'କ୍ୟାପ୍ସ କାଫେ' ପାଖରେ ଥିବା ଆଉ ଏକ ଦୋକାନରେ ଗୁଳି ମାଡ଼ ହୋଇଥିଲା ।
ଏହି ସମସ୍ତ ଘଟଣାରେ ବବ୍ବର ଖାଲସା ଇଣ୍ଟରନ୍ୟାସନାଲର ହରଜୀତ ସିଂହ ଲାଡ୍ଡୀ ଏବଂ ବିଷ୍ଣୋଇ ଗ୍ୟାଙ୍ଗ୍ ଜଡ଼ିତ ଥିବାରୁ ନିଜେ ସ୍ୱୀକାର କରିଥିଲେ ।