ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ‘ଆମ ବସ୍’ର ବେପରୁଆ ଚାଳନାକୁ ନେଇ ଉଠିଛି ପ୍ରଶ୍ନ। ବୁଧବାର ଭୁବନେଶ୍ୱରର ବ୍ୟସ୍ତବହୁଳ ଶ୍ରୀୟା ଛକ ନିକଟରେ ଏକ ଆମ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଶ୍ରୀୟା ଛକ ଦେଇ ଯାଉଥିବା ବେଳେ ଏକ ଆମ ବସ୍ ବାଇକ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟକି ପଡ଼ି ଗୁରୁତର ଆହତ ହୋଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ ଏବଂ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ।
ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ତେବେ ତାଙ୍କ ଅବସ୍ଥାକୁ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଖାରବେଳ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ଆମ ବସ୍କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ରାଜଧାନୀରେ ବାରମ୍ବାର ଆମ ବସ୍ ଦୁର୍ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ, ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।