ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା । ରାତି ଅଧରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି । ଲୁଟ୍ ଉଦ୍ୟମ ବେଳେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳା ଜଣକ ହେଲେ ଶାନ୍ତିଲତା ପ୍ରଧାନ (୭୫) । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ପ୍ରାଥମିକ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଶାନ୍ତିଲତାଙ୍କ ଘରେ କିଛି ଦୁର୍ବୃତ୍ତ ପଶିଥିଲେ । ଶାନ୍ତିଲତା ସେମାନଙ୍କୁ ବିରୋଧ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଶାନ୍ତିଲତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ଏବଂ ପଡ଼ୋଶୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ଜଟଣୀ ଥାନା ପୋଲିସ, ସାଣ୍ଟିଫିକ୍ ଓ ସନ୍ଧାନୀ କୁକୁର ସହିତ ଘଟଣା ସ୍ଥଳରେ ପହଁଚି ଯାଞ୍ଚ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଲୁଟ୍ ଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବାବେଳେ ଅଧିକ ତଦନ୍ତ ପରେ ହତ୍ୟା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।