ପୁରୀ: ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି। ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ପହଣ୍ଡି ବିଜେ। ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସି ଚକ୍ରରାଜ ସୁଦର୍ଶନ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି। ଏହି ଦିବ୍ୟ ଦୃଶ୍ୟ ଦେଖିବା ପାଇଁ ଅପେକ୍ଷା କରିଥିବା କୋଟି କୋଟି ଭକ୍ତଙ୍କ ଆଖିରେ ଭକ୍ତି ଓ ଆନନ୍ଦର ଲୁହ ଝଲସି ଉଠିଥିଲା।
ପହଣ୍ଡି ବେଳେ ମହାପ୍ରଭୁଙ୍କ ଝୁଲି ଝୁଲି ଆଗକୁ ବଢ଼ିବା ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା। 'ହରିବୋଲ', 'ଜୟ ଜଗନ୍ନାଥ' ଧ୍ୱନି, ଶଙ୍ଖ, ଘଣ୍ଟ, କାହାଳୀ ଓ ହୁଳହୁଳିରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ରଥ ଉପରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅଧୀର ଅପେକ୍ଷାରେ ରହିଥିଲେ। ପହଣ୍ଡି ସରିବା ପରେ ତିନି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିରାଜମାନ ଦୃଶ୍ୟ ସମଗ୍ର ଶ୍ରୀକ୍ଷେତ୍ରକୁ ଭକ୍ତିମୟ କରିଦେଇଛି।
ଯଦିଓ ନୀତି ଅନୁଯାୟୀ ଦିନ ୧୨ଟାରେ ପହଣ୍ଡି ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା, ତେବେ ଆଜି ନୀତି ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଦେବଦେବୀଙ୍କ ପହଣ୍ଡି ସଫଳତାର ସହ ଶେଷ ହୋଇଛି। ଏବେ ଶ୍ରୀମନ୍ଦିର ପ୍ରଶାସନର ନୀତି ଅନୁଯାୟୀ ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ପବିତ୍ର ଛେରା ପହଁରା ନୀତି ସମ୍ପନ୍ନ ହେବ। ଏହା ପରେ ଚାରମାଳ ଫିଟା, ଘୋଡ଼ା ଲାଗି ଭଳି ଅନ୍ୟାନ୍ୟ ପାରମ୍ପରିକ ନୀତି ସରିବ।
ଅପରାହ୍ଣ ୪ଟାରେ ତିନି ରଥ ଟଣା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ବାହୁଡ଼ା ଦଶମୀର ଲକ୍ଷ୍ମୀ-ନାରାୟଣ ଭେଟ ନୀତିକୁ ଦୃଷ୍ଟିରେ ରଖି ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ମହାପ୍ରଭୁଙ୍କ ରଥ ଶ୍ରୀନଅର ନିକଟରେ ପହଞ୍ଚିବା ପାଇଁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏବେ ସମଗ୍ର ବିଶ୍ୱର ଭକ୍ତଙ୍କ ନଜର ରହିଛି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ରଥଟଣା ଉପରେ।