ପୁରୀ: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତି, ଭାବ ଓ ଉତ୍ସାହର ଅଦ୍ଭୁତ ସମାଗମ ଦେଖିବାକୁ ମିଳିଛି। ଗୁଣ୍ଡିଚା ମନ୍ଦିରରେ ନଅ ଦିନର ଲୀଳାଖେଳା ସମାପ୍ତ କରି ଆଜି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରକୁ ବାହୁଡ଼ିବାକୁ ବାହାରିଛନ୍ତି। ବାହୁଡ଼ା ଯାତ୍ରାର ସବୁଠୁ ଆକର୍ଷଣୀୟ ନୀତି ପହଣ୍ଡି ବିଜେ ଆରମ୍ଭ ହୋଇଥିବାବେଳେ ପ୍ରଥମେ ଧାଡି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ ବିଜେ କରୁଛନ୍ତି। ସୁଦର୍ଶନଙ୍କ ପହଣ୍ଡି ସହ 'ହରିବୋଲ' ଓ 'ଜୟ ଜଗନ୍ନାଥ' ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଛି।
ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ ଦିନ ୧୨ଟାରୁ ପହଣ୍ଡି ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ, ଆଜି ନୀତି ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି। ସୁଦର୍ଶନଙ୍କ ପରେ କ୍ରମାନୁସାରେ ଦେବୀ ସୁଭଦ୍ରା, ବଡ଼ଠାକୁର ବଳଭଦ୍ର ଏବଂ ଶେଷରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ କରି ରଥାରୂଢ଼ ହେବେ। ଏହା ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇ ଅପରାହ୍ଣ ପ୍ରାୟ ୪ଟାରେ ତିନି ରଥ ଟଣା ଆରମ୍ଭ ହେବ।
ବାହୁଡ଼ା ଯାତ୍ରାକୁ ନେଇ ପୁରୀ ବଡ଼ଦାଣ୍ଡରେ ସକାଳୁ ସକାଳୁ ଅସମ୍ଭବ ଜନସମୁଦ୍ର ଦେଖିବାକୁ ମିଳିଛି। ଦେଶ-ବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ସାକ୍ଷୀ ହେବାକୁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି। ପହଣ୍ଡି ବେଳେ ଘଣ୍ଟ, କାହାଳୀ, ମର୍ଦ୍ଦଳ, ଝାଞ୍ଜ ଓ ଶଙ୍ଖଧ୍ୱନି ସହ ହୁଳହୁଳିରେ ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ଆହୁରି ଭାବମୟ ହୋଇଉଠିଛି।
ଏହି ବିଶାଳ ଆଧ୍ୟାତ୍ମିକ ସମାବେଶକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରାୟ ୨୨୦ ପ୍ଲାଟୁନ୍ ପୁଲିସ ଫୋର୍ସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଭିଡ଼ ପରିଚାଳନା, ଟ୍ରାଫିକ୍ ନିୟନ୍ତ୍ରଣ, ଡ୍ରୋନ୍ ନଜରଦାରି ଏବଂ ଜରୁରୀକାଳୀନ ସେବାକୁ ସଜାଗ ରଖାଯାଇଛି।
ଦୀର୍ଘ ନଅ ଦିନର ବିରହ ପରେ ମହାପ୍ରଭୁଙ୍କ ନୀଳାଚଳ ବାହୁଡ଼ାକୁ ନେଇ ଭକ୍ତମାନଙ୍କ ମନରେ ଅପାର ଉତ୍ସାହ ଓ ଆଧ୍ୟାତ୍ମିକ ଉଲ୍ଲାସ ଦେଖାଦେଇଛି। ରଥ ଉପରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ବାହୁଡ଼ା ଯାତ୍ରା କେବଳ ଏକ ପରମ୍ପରା ନୁହେଁ, ବରଂ ଭକ୍ତି, ବିଶ୍ୱାସ ଓ ସନାତନ ସଂସ୍କୃତିର ଏକ ଅନନ୍ୟ ମହାପର୍ବ, ଯାହା ପ୍ରତିବର୍ଷ କୋଟି କୋଟି ଭକ୍ତଙ୍କୁ ମହାପ୍ରଭୁଙ୍କ ସହ ଭାବର ବନ୍ଧନରେ ବାନ୍ଧି ରଖେ।
ଅଧିକ ପଢନ୍ତୁ: ବାହୁଡ଼ା ଯାତ୍ରାରେ ମାଉସୀମା'ଙ୍କ ପୋଡ଼ପିଠା: ଭକ୍ତି, ପରମ୍ପରା ଓ ମହାପ୍ରସାଦର ଅନନ୍ୟ ମିଳନ