ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣିଥରେ ପୁଲିସର ବଡ଼ ଆକ୍ସନ୍। ପୁରୁଷୋତ୍ତମପୁର ଅଞ୍ଚଳର କୁଖ୍ୟାତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆ ପୁଲିସ ଏନକାଉଣ୍ଟରରେ ଆହତ ହୋଇଛି। ଏନକାଉଣ୍ଟର ସମୟରେ କାଳିଆର ଆଣ୍ଠୁରେ ଗୁଳି ବାଜିଥିବାବେଳେ ତାକୁ ହେପାଜତକୁ ନେଇ ଚିକିତ୍ସା ପାଇଁ ପଠାଯାଇଛି।
ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ କୋଦଳା–ସିଂହାସିନି ରାସ୍ତାରେ ଚଢ଼ାଉ କରୁଥିବା ବେଳେ କାଳିଆ ସହ ସାମ୍ନାସାମ୍ନି ହୋଇଥିଲେ। ଅଭିଯୋଗ ଅନୁସାରେ, ପୁଲିସକୁ ଦେଖି କାଳିଆ ପ୍ରଥମେ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୁଲିସ ପାଲଟା ଗୁଳି ଚଳାଇଥିବାରୁ କାଳିଆର ଆଣ୍ଠୁରେ ଗୁଳି ବାଜିଥିଲା।
ଘନଶ୍ୟାମ ବେହେରା ଓରଫ କାଳିଆ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ସମେତ ଏକାଧିକ ସଙ୍ଗୀନ ମାମଲା ରହିଛି। ସେ ପୁରୁଷୋତ୍ତମପୁର ଥାନାର ତିନୋଟି ମାମଲାରେ ଫେରାର ଥିଲା ଏବଂ ଦୀର୍ଘଦିନ ଧରି ପୁଲିସକୁ ଚକମା ଦେଇ ଆସୁଥିଲା।
ଘଟଣା ପରେ ପୁଲିସ କାଳିଆକୁ ହେପାଜତକୁ ନେଇଛି। ତାଠାରୁ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସୂଚନା ସଂଗ୍ରହ ପାଇଁ ପଚରାଉଚରା ଜାରି ରହିଛି। ଏହି ଏନକାଉଣ୍ଟର ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।