ପୁରୀ: ଯେଉଁ ପାବନ ମୁହୂର୍ତ୍ତକୁ ଚାତକ ପରି ଚାହିଁ ରହିଥିଲା ଏ ଚର୍ମ ଚକ୍ଷୁ, ଆଜି ସେହି ଦୃଶ୍ୟକୁ ପୁଣି ଥରେ ଦେଖି ଉଲ୍ଲସିତ ହୋଇ ଉଠିଛି ପ୍ରାଣ । ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରାର ପହଁଣ୍ଡି ନୀତି । ଜନ୍ମବେଦୀକୁ ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛନ୍ତି ଚତୁର୍ଦ୍ଧାମୂରତି । ରଥରେ ବିରାଜମାନ ହେଉଛନ୍ତି ତିନି ଭାଇ ଭଉଣୀ ।
ନିର୍ଦ୍ଧାରିତ ସମୟର ପ୍ରାୟ ୪୫ ମିନିଟ୍ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି । ନାକ ଚଣା ଦ୍ୱାର ଦେଇ ଧାଡ଼ି ପହଣ୍ଡିରେ ରଥାରୁଢ଼ ହେଉଛନ୍ତି ମହାପ୍ରଭୁ । ପ୍ରଥମେ ଚକ୍ରବୀର ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଭୁ ସୁଦର୍ଶନଙ୍କୁ ଦେବଦଳନ ରଥରେ ବିରାଜମାନ କରାଯାଇଥିଲା । ଟାହିଆ ହଲାଇ ହଲାଇ ଗୁଣ୍ଡିଚା ରାଣୀଙ୍କଠାରୁ ବିଦାୟ ନେଇ ମନ୍ଦିରରୁ ଆସିଥିଲେ ବଡ଼ ଠାକୁର ବଳଭଦ୍ର । ପରେ ପରେ ଜନ୍ମବେଦୀରୁ ଓହ୍ଲାଇଥିଲେ କାମ୍ପିଲ୍ୟବାସିନୀ ଦେବୀ ସୁଭଦ୍ରା । ରଥାରୁଢ଼ ହୋଇଛନ୍ତି ପ୍ରଭୁ ବଳଭଦ୍ର ଓ ହଳଦୀ ମୁହିଁ ଦେବୀ ସୁଭଦ୍ରା ।
ଆଉ ଶେଷରେ ଚକା ଆଖି ମେଲାଇ ଭକ୍ତଙ୍କୁ ଦେଖିବାକୁ ମନ୍ଥର ଗତିରେ ଝୁଲି ଝୁଲି ଆସିଥିଲେ ମହାବାହୁ । ଘଣ୍ଟ ତାଳ, କାହାଳୀ ଶବଦରେ କମ୍ପି ଉଠୁଛି ଶରଧା ବାଲି । ଜଗନ୍ନାଥ ଧ୍ୱନି ପ୍ରକମ୍ପିତ ହେଉଛି ଗଗନ ପବନ । ଖବର ଲେଖା ଯିବା ବେଳକୁ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ଜାରି ରହିଥିଲା ।
ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥ ଟଣା ଆରମ୍ଭହେବ ବୋଲି ସୂଚନା ଦିଆଯାଇଛି ।