ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ସିଜେପିର 'ସଂସଦ ଚାଲ' ଶୋଭାଯାତ୍ରାରେ ଅଂଶଗ୍ରହଣ କରି ହିଂସା ପ୍ରଦର୍ଶନ କରିଥିବା ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଯେଉଁମାନେ ହିଂସାରେ ଲିପ୍ତ ଥିଲେ, ପଥର ମାଡ଼ କରିବା ସହିତ ସଂସଦ ଭବନ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯିବ । ଏହା ସହିତ ସେମାନଙ୍କ ପାସପୋର୍ଟ ବାତିଲ କରାଯିବ ବୋଲି ସୂଚନା ମିଳିଛି ।
ଦଙ୍ଗା ଏବଂ ହିଂସାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ପୋଲିସ ଯାଞ୍ଚ ଜାରି ରଖିଛି । କେଉଁମାନେ ପଥର ମାଡ଼ କରିଥିଲେ ଏବଂ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଁଚାଇବାକୁ ଚେଷ୍ଟା କରିଥିଲେ ସେମାନଙ୍କୁ ଖୋଜା ଚାଲିଛି । ସମସ୍ତଙ୍କୁ ଚିହ୍ନଟ କରିସାରିବା ପରେ ସେମାନଙ୍କ ପାସପୋର୍ଟ ବାତିଲ କରିବାକୁ ପ୍ରକ୍ରିୟା ଆରମ୍ଭ ହେବ ।
ସେପଟେ ସୋନମ ୱାଙ୍ଗଚୁକଙ୍କ ତିନୋଟି ସର୍ତ୍ତକୁ ମାନିବାକୁ କେନ୍ଦ୍ର ସରକାର ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଥମ ସର୍ତ୍ତ ରହିଛି ଯେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ପେପର ଲିକ୍ ଦୁର୍ନୀତି ପରେ କଥିତ ଭାବରେ ମୃତ୍ୟୁବରଣ କରିଥିବା ୨୦ରୁ ଅଧିକ ଛାତ୍ରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ । ଶେଷରେ ସରକାର ଶିକ୍ଷା ବ୍ୟବସ୍ଥା, ପରୀକ୍ଷା ପ୍ରକ୍ରିୟା ଏବଂ ଦାୟିତ୍ୱ ସମ୍ପର୍କରେ ସଂସଦରେ ଏକ ବିସ୍ତୃତ ଆଲୋଚନା କରିବେ । ଏ ନେଇ ସରକାର ଲିଖିତ ଆକାରରେ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାର ଲକ୍ଷ୍ୟ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତିକୁ ରୋକିବା ଏବଂ ଦାୟିତ୍ୱ ନିର୍ଣ୍ଣୟ କରିବ ।
କିନ୍ତୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିଶ୍ରୁତି ମିଳିନାହିଁ। ଅନ୍ୟ ତିନୋଟି ପ୍ରମୁଖ ଦାବି ଏବଂ ସେଗୁଡିକ ପାଇଁ ଲିଖିତ ସମ୍ମତି ମିଳିବା ପରେ ସେ ତାଙ୍କର ଅନଶନ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ।