ରାୟଗଡ଼ା: ଜିଲ୍ଲାର ଗୁଣପୁରରେ ଶେଫାଳି ପାହାଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପାହାଡ଼ ଉପରୁ ଶିବ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ସ୍କୁଟିର ବ୍ରେକ୍ ଫେଲ୍ ହୋଇଯିବାରୁ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇ ଜଣେ ନୃତ୍ୟୁ ଶିକ୍ଷୟିତ୍ରୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଣପୁରର ନୃତ୍ୟ ଶିକ୍ଷୟିତ୍ରୀ ସସ୍ମିତା ପଣ୍ଡା ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଶମ୍ଭୁନାଥ ଦାଶ ।
ଗତକାଲି ନୃତ୍ୟ ଶିକ୍ଷୟିତ୍ରୀ ସସ୍ମିତା ପଣ୍ଡା, ଶମ୍ଭୁନାଥ ଦାଶ ଓ ଅନ୍ୟ ଜଣେ ସ୍କୁଟିରେ ଶେଫାଳି ପାହାଡ଼ ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ସାରି ଫେରୁଥିବା ବେଳେ ସ୍କୁଟିର ବ୍ରେକ୍ ଫେଲ୍ ହୋଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲା । ଫଳରେ ତିନିଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଶମ୍ଭୁନାଥ ଦାଶଙ୍କ ମୃତ୍ୟୁ ହୋଇଥିବା ବେଳେ, ସସ୍ମିତା ପଣ୍ଡାଙ୍କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ପାରଳାଖେମୁଣ୍ଡିଠାରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସସ୍ମିତା ପଣ୍ଡାଙ୍କ ନୃତ୍ୟ ଅନୁଷ୍ଠାନର ଅଡିଟ୍ ପାଇଁ ଆସିଥିବା ଦୁଇଜଣ ଅଡିଟରଙ୍କୁ ବୁଲାଇବାକୁ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାର ତଦନ୍ତ କରୁଛି ଗୁଣପୁର ପୋଲିସ। ଏହି ଦୁଃଖଦ ଘଟଣାରେ ସମଗ୍ର ଗୁଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।