ପୁରୀ: ପୁଣି ଥରେ କୋଳାହଳମୟ ହୋଇ ଉଠିଛି ଶ୍ରୀମନ୍ଦିର । ବାହୁଡ଼ି ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ରଥ ଉପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ସୁନାର କିରିଟ, କୁଣ୍ଡଳ, ମୁକୁଟଠାରୁ ଆରମ୍ଭ କରି ଶ୍ରୀହସ୍ତ ଏବଂ ଶ୍ରୀପୟର ପିନ୍ଧି ଝଲସି ଉଠିବ କଳା ଶ୍ରୀମୁଖ । ଯାହାକୁ ଦେଖିବାକୁ ଚାହିଁ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।
ଶ୍ରୀଗୁଣ୍ଡିଚା ଯାତ୍ରାର ଆଉ ଏକ ନୀତି ସୁନାବେଶ । ବାହୁଡ଼ା ପରଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପକ୍ଷ ଏକାଦଶୀରେ ରଥାରୂଢ଼ ତିନି ଠାକୁର ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଯଥା କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଦଶହରା ପ୍ରଭୃତି ଦିବସମାନଙ୍କରେ ରାଜାଧିରାଜ ବେଶ, ରାଜା ରାଜେଶ୍ୱର, ସୁନାବେଶ, ସୁନାବେଶରେ ସଜ୍ଜିତ ହୋଇଥାଆନ୍ତି । କିନ୍ତୁ ରଥ ଉପରେ ମଧ୍ୟ ସୁନା ବେଶରେ ପ୍ରଭୁ ସଜ୍ଜିତ ହୁଅନ୍ତି ।
ଏହି ସୁନା ବେଶର ସମସ୍ତ ଅଳଙ୍କାର ବାହାର ରତ୍ନଭଣ୍ଡାରରୁ ଅଣାଯାଇଥାଏ । ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନଅଳଙ୍କାର ଅଣାଯାଇଥାଏ । ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି।
ପୂର୍ବ ନିର୍ଦ୍ଧାରିତ ନୀତି ଅନୁସାରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଆଜି ସନ୍ଧ୍ୟା୫ଟାରୁ ସୁନାବେଶ ଆରମ୍ଭ ହେବ । ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ଏହା ପରେ ପରେ ବେଶ ଓଲାଗି ହେବ। ନୀତିକାନ୍ତି ସଅଳ ହେଲେ ଅପରାହ୍ଣରୁ ସୁନାବେଶ ଦର୍ଶନର ସୁଯୋଗ ପାଇପାରିବେ ଭକ୍ତ । ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ମାର୍କେଟ୍ ଛକଠାରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରାଯାଇଛି । ଭକ୍ତ ବଡ଼ଦାଣ୍ଡର ବାମପାର୍ଶ୍ୱରୁ ଦର୍ଶନ ପାଇଁ ପ୍ରବେଶ କରି ତିନି ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଦକ୍ଷିଣ ପାର୍ଶ୍ୱରେ ପ୍ରସ୍ଥାନ କରିବେ ।