ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ତଦନ୍ତ ଫାଇଲ୍ ଗାଏବ ମାମଲାରେ ବଡ଼ ସୂଚନା ମିଳିଛି । ପୂର୍ବତନ ଆଇଏଏସ୍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଆଜି ହାଜର ହେବେ ନାହିଁ । ସେ ବର୍ତ୍ତମାନ ବିଦେଶ ଗସ୍ତରେ ଥିବାରୁ ପୋଲିସ ନିକଟରେ ହାଜର ହୋଇପାରିବେ ନାହିଁ ବୋଲି ଇମେଲ୍ ଯୋଗେ କ୍ୟାପିଟାଲ ଥାନାକୁ ଜଣାଇଛନ୍ତି । ଆଭାସୀ ବା ଭିଡ଼ିଓ କନଫରେନ୍ସ ଜରିଆରେ ନିଜର ବୟାନ ଦେବାକୁ ପ୍ରସ୍ତୁତ ଥିବା ପାଣ୍ଡିଆନ ଅନୁରୋଧ କରିଛନ୍ତି । ନଚେତ୍ ବିଦେଶରୁ ଫେରିଲେ ସେ ବ୍ୟକ୍ତିଗତଭାବେ ଥାନାରେ ହାଜର ହେବ ବୋଲି କହିଛନ୍ତି ।
ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ତଦନ୍ତ ଫାଇଲ୍ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ତଦନ୍ତ ଫାଇଲ ହଜିବା ମାମଲାରେ କ୍ୟାପିଟାଲ ଥାନା ପୋଲିସ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରିଥିଲା । ଜୁଲାଇ ୨୫ ତାରିଖ ଦିନ ୧୧ଟା ସୁଦ୍ଧା ଜୋନ୍-୧ ଏସିପିଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା ।
ଏହା ପୂର୍ବରୁ ଆହୁରି ତିନି ଜଣ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କୁ ମଧ୍ୟ ସମନ ଜାରି ହୋଇଥିଲା । ପୋଲିସ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର , ରାଜେଶ ବର୍ମା ଓ ଉପେନ୍ଦ୍ର ନାଥ ବେହେରାଙ୍କୁ ମଧ୍ୟ ନୋଟିସ୍ ହୋଇଛି । ମନୋଜ ମିଶ୍ର ହାଜର ହୋଇ ନିଜ ପକ୍ଷ ରଖିଥିବାବେଳେ ରାଜେଶ ବର୍ମା ହାଜର ହୋଇନଥିଲେ । ତାଙ୍କୁ ସାନି ନୋଟିସ୍ ଜାରି ହୋଇଛି । ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ଉପେନ୍ଦ୍ର ବେହେରାଙ୍କୁ ହାଜର ନିର୍ଦ୍ଦେଶ ରହିଛି ।