କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବର୍ଷିୟାନ ସ୍ଵାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସଂଘର ସଭାପତି ବିମ୍ବାଧର ମୁଦୁଲିଙ୍କର ଦେହାନ୍ତ ହୋଇଯାଇଛି l ଶୁକ୍ରବାର ସକାଳେ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା l
ବିମ୍ବାଧର ମୁଦୁଲି କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l ନିକଟରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲା ହସ୍ପିଟାଲ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l ଆଜି ଭୋରୁ ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ପରେ ପୂର୍ବାହ୍ନରେ ବିମ୍ବାଧର ମୁଦୁଲିଙ୍କ ପାର୍ଥିବ ଶରୀର ତାଙ୍କ ଗାଁ ଡେରାବିଶ ବ୍ଲକ ଅନ୍ତର୍ଗତ ନିଳିକଣାକୁ ଅଣାଯାଇଥିଲା l ସେଠାରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା l ଏହା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏଭଳି ଜଣେ ଦେଶ ଭକ୍ତଙ୍କ ଦେହାନ୍ତରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
୧୯୨୩ ମସିହା ଡିସେମ୍ବର ମାସ ୫ ତାରିଖ ବିମ୍ବାଧର ମୁଦୁଲି ଅବିଭକ୍ତ କଟକ ଜିଲ୍ଲାର କେନ୍ଦ୍ରାପଡା ସବ୍ଡ଼ିଭିଜନ ଅନ୍ତର୍ଗତ ନିଳିକଣା ଗାଁରେ ଜନ୍ମଗ୍ରହଣ କରିଥିଲେ l ପରେ ଛାତ୍ର ଅବସ୍ଥାରୁ ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ l ସେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ l ଜୀବନ କାଳ ମଧ୍ୟରେ ବହୁ ସଂଗଠନ ସହିତ ଯୋଡି ହେବା ସହ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଥିଲେ l
ବିମ୍ବାଧରଙ୍କ ଦେହାନ୍ତ ଖବର ପାଇ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ବିଜେପି ନେତା ତେଜେଶ୍ୱର ପରିଡା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସରୋଜ କାନ୍ତ ସାହୁ, ବିଜେଡି ନେତା ଦେବାଶିଷ ଆଚାର୍ଯ୍ୟ, ଅଧ୍ୟାପକ ନନ୍ଦ କିଶୋର ପରିଡା, ଆଡଭୋକେଟ ପ୍ରଦୀପ କୁମାର ଦାଶ, ଡେରାବିଶ ବ୍ଳକ ବିଡିଓ ନମିତା ବାରିକ, କଂଗ୍ରେସ ନେତା ବିଧୁଭୁଷଣ ମହାପାତ୍ର, ସନ୍ତୋଷ ବେହେରା, ଅନନ୍ତ ଚରଣ ପାତ୍ର, ଫକିର ଚରଣ ଖଟୁଆ, କୃଷକ ନେତା ବିଜୟ ପରିଡା, ବିଜେଡି ନେତା ରାଜେଶ ପଣ୍ଡା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।