ଧର୍ମଶାଳା: ହିମାଚଳ ପ୍ରଦେଶର ଲାହୋଲ ଜିଲ୍ଲାର ସ୍ପିତିରେ ଶୁକ୍ରବାର ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ପାହାଡ ଉପରୁ ହଠାତ ବିଶାଳକାୟ ପଥର ଖସିବାରୁ ଏକ ଯାତ୍ରୀବାହୀ ସୁମୋ ଗାଡି ସଂପୂର୍ଣ୍ଣ ଚାପି ହୋଇ ଯାଇଛି । ଏହି ଦୁର୍ଘଟଣାରେ ଗାଡି ଭିତରେ ଥିବା ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗାଡ଼ିଟି ତିନ୍ଦି ଅଞ୍ଚଳରୁ ପାଙ୍ଗୀ ଆଡ଼କୁ ଯାଉଥିବା ସମୟରେ ପାଙ୍ଗୀ ମୁଖ୍ୟାଳୟ କିଲାର୍ଡ଼ଠାରୁ ପ୍ରାୟ ୪୦ କିଲୋମିଟର ଦୂର 'କଡ଼ୁ ନାଲା' ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ବର୍ଷା ଯୋଗୁଁ ପାହାଡ଼ିଆ ରାସ୍ତାରେ ହଠାତ୍ ଗାଡ଼ିଟି ଯାଉଥିବା ସମୟରେ ଉପରୁ ଏକ ବିରାଟ ପଥର ଚଟାଣ ଖସି ସିଧାସଳଖ ଗାଡ଼ି ଉପରେ ପଡ଼ିଥିଲା।
ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ଲାହୋଲ୍ ପ୍ରଶାସନ, ପୁଲିସ୍ ଓ ସ୍ଥାନୀୟ ନାୟବ ତହସିଲଦାର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରୀ ଜେସିବି ଓ ଉଦ୍ଧାରକାରୀ ଦଳ ସାହାଯ୍ୟରେ ପଥର ଚଟାଣକୁ ହଟାଇ ଗାଡ଼ି ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି।
ପାହାଡ଼ିଆ ଅଞ୍ଚଳରେ ଲଗାତାର ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ କିଛିଟା ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପାହାଡ଼ିଆ ଓ ସଂକୀର୍ଣ୍ଣ ରାସ୍ତାରେ ଯାତାୟାତ ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
Also Read: ସାବଧାନ ପେପର ଲିକ୍ ମାଫିଆ: ୧୦ ବର୍ଷ ଜେଲ୍ ସହ ୧ କୋଟିର ଜୋରିମାନା, ସରକାର ଆଣୁଛନ୍ତି କଠୋର ଆଇନ