ନୂଆଦିଲ୍ଲୀ: ଦୀର୍ଘ ୨୬ ଦିନର ଅନଶନ ପରେ ଶେଷରେ ସୋନମ୍ ୱାଙ୍ଗଚୁକ ଜଳ ଗ୍ରହଣ କରିଛନ୍ତି । ସୋନମ୍ ଏବଂ ସରକାରଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତାବଳୀ ଉପରେ ସହମତି ପ୍ରକାଶ ପାଇଛି । ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପତ୍ର । ଯାହା ଉପରୁ ପରଦା ହଟିସାରିଛି । କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ସହିତ ଆଲୋଚନା ହୋଇଥିବା ସୋନମ୍ ଭିଡ଼ିଓ ମାଧ୍ୟମରେ ସୂଚନା ଦେଇଛନ୍ତି । କିନ୍ତୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପ୍ରସ୍ତାବକୁ ସରକାର ଗ୍ରହଣ କରିନଥିବା ସ୍ପଷ୍ଟ ହୋଇସାରିଛି ।
ସରକାର ୱାଙ୍ଗଚୁକଙ୍କୁ ଏକ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଥମ ସର୍ତ୍ତ ରହିଛି ଯେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ଅର୍ଥାତ ନିଟ୍ ପେପର୍ ଲିକ୍ ଏବଂ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜୁଲାଇ ୨୦ ରେ 'ସଂସଦ ଚଲୋ' ରାଲିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ କୌଣସି ଏଫଆଇଆର, ଆଇନଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଅନ୍ୟାନ୍ୟ ଦଣ୍ଡମୂଳକ ପଦକ୍ଷେପ ନିଆଯିବ ନାହିଁ ।
ସେହିପରି ଦ୍ୱିତୀୟ ସର୍ତ୍ତ ରହିଛି ଯେ ପେପର ଲିକ୍ ଦୁର୍ନୀତି ପରେ କଥିତ ଭାବରେ ମୃତ୍ୟୁବରଣ କରିଥିବା ୨୦ ରୁ ଅଧିକ ଛାତ୍ରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ।
ସେହିପରି ୱାଙ୍ଗଚୁକଙ୍କ ଆଉ ଏକ ସର୍ତ୍ତ ରହିଛି । ସରକାର ଶିକ୍ଷା ବ୍ୟବସ୍ଥା, ପରୀକ୍ଷା ପ୍ରକ୍ରିୟା ଏବଂ ଦାୟିତ୍ୱ ସମ୍ପର୍କରେ ସଂସଦରେ ଏକ ବିସ୍ତୃତ ଆଲୋଚନା କରିବେ । ଏ ନେଇ ସରକାର ଲିଖିତ ଆକାରରେ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାର ଲକ୍ଷ୍ୟ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତିକୁ ରୋକିବା ଏବଂ ଦାୟିତ୍ୱ ନିର୍ଣ୍ଣୟ କରିବ ।
କିନ୍ତୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିଶ୍ରୁତି ମିଳିନାହିଁ। ଅନ୍ୟ ତିନୋଟି ପ୍ରମୁଖ ଦାବି ଏବଂ ସେଗୁଡିକ ପାଇଁ ଲିଖିତ ସମ୍ମତି ମିଳିବା ପରେ ସେ ତାଙ୍କର ଅନଶନ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ।