ହରାରେ: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଆଜି ହରାରେ ସ୍ପୋର୍ଟ୍ସ କ୍ଲବ୍ରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜରିଆରେ ଶ୍ରେୟସ ଆୟର ଭାରତୀୟ ଦଳର ଅଧିନାୟକ ଭାବେ ନିଜର ପ୍ରଥମ ସିରିଜ୍ କବ୍ଜା କରିବାକୁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହିଁ ଟସ୍ ପଡ଼ିବାକ୍ଷଣି ସେ ଏକ ବିରଳ ଏବଂ ବଡ଼ ବିଶ୍ୱକୀର୍ତ୍ତିମାନ ନିଜ ନାଁରେ କରିବାର ସୁଯୋଗ ପାଇଛନ୍ତି। ଯଦି ଆଜିର ମ୍ୟାଚ୍ରେ ଭାରତ ଟସ୍ ଜିତେ, ତେବେ ଶ୍ରେୟସ ଆୟର କ୍ୟାରିୟରର ପ୍ରଥମ ୯ଟି ମ୍ୟାଚ୍ରେ କ୍ରମାଗତ ଭାବେ ଟସ୍ ଜିତିଥିବା ବିଶ୍ୱର ପ୍ରଥମ ଅଧିନାୟକ ହୋଇଯିବେ।
ଶ୍ରେୟସ ଆୟର ଆୟର୍ଲାଣ୍ଡ ବିପକ୍ଷରେ ନିଜର ଅଧିନାୟକତ୍ୱ କ୍ୟାରିୟର ଆରମ୍ଭ କରିଥିଲେ, ଯେଉଁଠାରେ ସେ ଉଭୟ ମ୍ୟାଚ୍ରେ ଟସ୍ ଜିତିଥିଲେ। ଏହାପରେ ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ସମୟରେ ମଧ୍ୟ ସେ ସବୁଗୁଡ଼ିକରେ ଟସ୍ ଜିତିଥିଲେ (ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା)। ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ରେ ମଧ୍ୟ ଟସ୍ ଜିତି ସେ ଇଂଲଣ୍ଡର ପୂର୍ବତନ ଅଧିନାୟକ ୱାଲି ହେମଣ୍ଡଙ୍କ ବିଶ୍ୱର୍କଡ଼ର ସମକକ୍ଷ ହୋଇଥିଲେ। ହେମଣ୍ଡ ଅଧିନାୟକ ଭାବେ ନିଜ କ୍ୟାରିୟରର ପ୍ରଥମ ୮ଟି ମ୍ୟାଚ୍ରେ କ୍ରମାଗତ ଟସ୍ ଜିତିବାର ରେକର୍ଡ କରିଥିଲେ।
ଆଜି ଯଦି ଆୟର ପୁଣିଥରେ ଭାଗ୍ୟର ସାଥ୍ ପାଇ ଟସ୍ ଜିତନ୍ତି, ତେବେ ସେ ୱାଲି ହେମଣ୍ଡଙ୍କୁ ପଛରେ ପକାଇ ସବୁଠାରୁ ଅଧିକ କ୍ରମାଗତ ଟସ୍ ଜିତିଥିବା ବିଶ୍ୱର ଏକନମ୍ବର କ୍ୟାପଟେନ୍ ହୋଇଯିବେ। ଆଜିର ଏହି ରୋମାଞ୍ଚକର ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪:୩୦ ମିନିଟ୍ରେ ଆରମ୍ଭ ହେବ ଏବଂ ଟସ୍ ୪:୦୦ଟାରେ ପଡ଼ିବ। କ୍ରିକେଟ୍ ପ୍ରଶଂସକମାନେ ଏହି ମ୍ୟାଚ୍କୁ ଟିଭିରେ ଜି ୟୁନାଇଟ୍୮ ସ୍ପୋର୍ଟ୍ସ ଏବଂ ଫ୍ୟାନକୋର୍ଟ ଆପ୍ ଓ ୱେବସାଇଟ୍ରେ ଲାଇଭ୍ ଦେଖିପାରିବେ।
Also Read: ଭାରତ ଗସ୍ତରେ ଆସିବ ବ୍ରାଜିଲ ଦଳ, ଏହି ସହରରେ ହୋଇପାରେ ମ୍ୟାଚ୍