ଭଦ୍ରକ: ଭଦ୍ରକରେ ୧୦୮ ଆମ୍ବୁଲାନ୍ସ ସେବା ଠପ୍ ହୋଇଯାଇଛି । ବିଭିନ୍ନ ଦାବି ନେଇ ଆମ୍ବୁଲାନ୍ସ କର୍ମଚାରୀମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣାରେ ବସିଛନ୍ତି । ଫଳରେ ରୋଗୀ ହନ୍ତସନ୍ତ ହୋଇଛନ୍ତି ।
ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରମୁଖ ଦାବି ହେଉଛି ଯେ ଶ୍ରମ ନିୟମ ଅନୁସାରେ ୧୨ ଘଣ୍ଟା ବଦଳରେ ୮ ଘଣ୍ଟା ଡ୍ୟୁଟି କରିବା । ନିୟମରୁ ବାହାରକୁ ଯାଇ କମ୍ପାନୀମାନେ ନିଯୁକ୍ତି ନ କରି ଅତ୍ୟଧିକ କାମ କରାଉଛନ୍ତି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଉଭୟ ଆମ୍ବୁଲାନ୍ସ ଡ୍ରାଇଭର୍ ଏବଂ ଆଣ୍ଟେଣ୍ଡାଣ୍ଟ୍ ଅତ୍ୟଧିକ କାମ ଚାପ ଯୋଗୁଁ ଶାରୀରିକ କଷ୍ଟ ଭୋଗୁଛନ୍ତି । ଏ ନେଇ ବାରମ୍ବାର ଦାବି କରାଯିବା ସତ୍ୱେ କେହି ଶୁଣୁ ନାହାଁନ୍ତି । ଯେଉଁଥିପାଇଁ ଆଜି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଓ ଦାବି ନେଇ ଆନ୍ଦୋଳନ କରିଛନ୍ତି । ଯଦି ସରକାର ସମସ୍ୟାର ସମାଧାନ ନ କରନ୍ତି ତେବେ ଆଗାମି ଦିନରେ ଆହୁରି ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ୧୦୮ କର୍ମଚାରୀ ମାନେ ।