ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡରୁ ଏକ ଚାଞ୍ଚଲ୍ୟକର ଖବର ଆସିଛି । ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତା ଜଣକ ହେଲେ ପାଟଣାଗଡ଼ ବ୍ରହ୍ମପୁରା ଗ୍ରାମର ଓଁକାର ଠାକୁରଙ୍କ ସ୍ତ୍ରୀ ଯଶୋବନ୍ତି ଚାନ୍ଦ । ଝିଅକୁ ତାଙ୍କ ଶାଶୁ ଘରେ ଲୋକେ ହତ୍ୟା କରିଥିବା ନେଇ ଯଶୋବନ୍ତିଙ୍କ ବାପା ଅକ୍ରୁର ଚାନ୍ଦ ଅଭିଯୋଗ କରିଛନ୍ତି । ପୋଲିସ ଯଶୋବନ୍ତିଙ୍କ ସ୍ୱାମୀ ଏବଂ ନଣନ୍ଦଙ୍କୁ ଅଟକ ରଖିଛି ।
୨୦୨୩ରେ ପାଟଣାଗଡ ସହରର ବ୍ରହ୍ମପୁରାର ଓଁକାର ଠାକୁରଙ୍କ ସହିତ ଖପ୍ରାଖୋଲ ଥାନା ମହରାପଦର ଗାଁର ଅକ୍ରୁର ଚାନ୍ଦଙ୍କ ଝିଅ ଯଶୋବନ୍ତି ଚାନ୍ଦଙ୍କ ସହିତ ବିବାହ ହୋଇଥିଲା । ଉଭୟଙ୍କର ଏକ ଅଢ଼େଇ ବର୍ଷର ଶିଶୁ କନ୍ୟା ରହିଛି । ମୃତ ଯଶୋବନ୍ତିଙ୍କ ବାପା ଅକ୍ରୁର ଚାନ୍ଦଙ୍କ ଅଭିଯୋଗ ଅନୁସାରେ, ବିବାହ ପରଠାରୁ ସ୍ୱାମୀ, ଶାଶୁ ଓ ନଣନ୍ଦ ମିଶି ବାରମ୍ବାର ନିର୍ଯ୍ୟାତନା ଦେବା ସହ ଯୌତୁକ ଆଣିବାକୁ ମାରପିଟ କରୁଥିଲେ । ଗତକାଲି ସେ ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିବାବେଳେ ଝିଅ ତା ମାଆକୁ ଫୋନ କରି କହିଥିଲା ଯେ ତାଙ୍କୁ ଶାଶୁ ଘର ଲୋକେ ବହୁତ ବାଡ଼ଉଛନ୍ତି । ଏହାର କିଛି ସମୟ ପରେ ସ୍ୱାମୀ ଓଁକାର ଠାକୁର ଫୋନ କରି ଯଶୋବନ୍ତିଙ୍କ ମୃତ୍ୟୁ ଖବର ଦେଇଥିଲେ । ଯଶୋବନ୍ତି ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଓଁକାର କହିଥିଲେ ।
ମାତ୍ର ଯଶୋବନ୍ତିଙ୍କ ବାପ ଘର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ତାଙ୍କ ଝିଅ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏ ନେଇ ପାଟଣାଗଡ଼ ଥାନାରେ ସ୍ୱାମୀ ଏବଂ ନଣନ୍ଦଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମୃତ ଦେହକୁ ଜବତ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରିଛି । ସ୍ୱାମୀ ଏବଂ ନଣନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।