ଭଦ୍ରକ: ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ମାମଲାରେ ଭଦ୍ରକ ପୋକ୍ସୋ ଅଦାଲତ ଗୁରୁବାର ଏକ କଡ଼ା ରାୟ ଶୁଣାଇଛନ୍ତି। ଅଦାଲତ ଦୋଷୀଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦାୟ କଲେ ତାଙ୍କୁ ଆହୁରି ୬ ମାସର କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ତଥା ଫାଷ୍ଟ ଟ୍ରାକ୍ (ପୋକ୍ସୋ) କୋର୍ଟର ବିଚାରପତି ମିନତି ପଣ୍ଡା ସମସ୍ତ ସାକ୍ଷ୍ୟ, ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି। ଦୋଷୀ ହେଲେ ଭଦ୍ରକ ଜିଲ୍ଲା ବିଦେଇପୁର ଗାଁର ମନୋଜ ପ୍ରଧାନ।
ଅଦାଲତ ପୀଡ଼ିତାଙ୍କ ପୁନର୍ବାସ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ୨ ମେ ୨୦୨୧ରେ ନାବାଳିକା ଜଣକ ବାସୁଦେବପୁର ଯିବାକୁ କହି ଘରୁ ବାହାରିଥିଲେ। କିନ୍ତୁ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କର ପତ୍ତା ନପାଇବାରୁ ୬ ମେ ୨୦୨୧ରେ କାଶିଆ ମେରାଇନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୋଲିସ ପ୍ରଥମେ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ନାବାଳିକାଙ୍କୁ ବେଙ୍ଗାଲୁରୁରୁ ଉଦ୍ଧାର କରାଯାଇଥିଲା। ସେଠାରୁ ଅଭିଯୁକ୍ତ ମନୋଜ ପ୍ରଧାନଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପରେ ପୀଡ଼ିତାଙ୍କୁ ତାଙ୍କ ପରିବାରଙ୍କ ହାତରେ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଥିଲା।
ତଦନ୍ତ ଶେଷ ପରେ ପୋଲିସ ଭାରତୀୟ ଦଣ୍ଡ ସଂହିତାର ଅପହରଣ, ବିବାହ ପାଇଁ ଅପହରଣ ଓ ଦୁଷ୍କର୍ମ ସମ୍ବନ୍ଧୀୟ ଧାରା ସହ ପୋକ୍ସୋ ଆଇନର ଧାରା-୬ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଥିଲା। ବିଚାର ପ୍ରକ୍ରିୟାରେ ସ୍ୱତନ୍ତ୍ର ସରକାରୀ ଓକିଲ ତୁଷାର ଜେନା ପୀଡ଼ିତା ଓ ଅଭିଯୋଗକାରୀଙ୍କ ପକ୍ଷରେ ମାମଲା ପରିଚାଳନା କରିଥିଲେ।