ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ବିକାଶକୁ ଆହୁରି ଦ୍ରୁତଗତି ଦେବା ପାଇଁ ମୋହନ ସରକାର ନେଇଛନ୍ତି ଏକ ବଡ଼ ପ୍ରଶାସନିକ ନିଷ୍ପତ୍ତି। ପୌରସଂସ୍ଥା, ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ଲିମିଟେଡ୍ଗୁଡ଼ିକର ଆର୍ଥିକ କ୍ଷମତାକୁ ବ୍ୟାପକ ଭାବେ ବୃଦ୍ଧି କରାଯାଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ନୂତନ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହୋଇଛି। ଏହା ଫଳରେ ସହରାଞ୍ଚଳରେ ବିକାଶମୂଳକ ପ୍ରକଳ୍ପର ଅନୁମୋଦନ ଏବଂ କାର୍ଯ୍ୟାନ୍ୱୟନ ପୂର୍ବ ଅପେକ୍ଷା ଅଧିକ ଶୀଘ୍ର ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
ନୂତନ ବ୍ୟବସ୍ଥା ଅନୁଯାୟୀ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (BSCL) ଏବଂ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ (RSCL)ର ପରିଚାଳନା ନିର୍ଦ୍ଦେଶକ (MD)ମାନଙ୍କୁ ମହାନଗର ନିଗମ କମିଶନରଙ୍କ ସମକକ୍ଷ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି। ଏହାଦ୍ୱାରା ସ୍ମାର୍ଟ ସିଟି ପ୍ରକଳ୍ପଗୁଡ଼ିକର ନିଷ୍ପତ୍ତି ଗ୍ରହଣ ଓ କାର୍ଯ୍ୟାନ୍ୱୟନ ଅଧିକ ଦ୍ରୁତ ହେବ।
ମହାନଗର ନିଗମ କମିଶନରଙ୍କ ଆର୍ଥିକ କ୍ଷମତାରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି। କାର୍ଯ୍ୟ ବିଲ୍, କ୍ରୟ ବିଲ୍ ଓ କାର୍ଯ୍ୟାଳୟ ଆନୁଷଙ୍ଗିକ ଖର୍ଚ୍ଚ ମଞ୍ଜୁରୀର ସୀମାକୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସୀମା ଭୁବନେଶ୍ୱର ମହାନଗର ନିଗମରେ ୫୦ ଲକ୍ଷ ଟଙ୍କା ଏବଂ ଅନ୍ୟ ମହାନଗର ନିଗମଗୁଡ଼ିକରେ ମାତ୍ର ୧୫ ଲକ୍ଷ ଟଙ୍କା ଥିଲା। ଏବେ ୧ କୋଟି ଟଙ୍କାରୁ ଅଧିକ ବିଲ୍ ସମ୍ପୃକ୍ତ ମହାନଗର ନିଗମର ଅନୁମୋଦନ ପାଇଁ ଯିବ। ସେହିପରି କମିଶନରମାନଙ୍କୁ ଦରମା ଓ ପେନ୍ସନ୍ ବିଲ୍ ମଞ୍ଜୁର କରିବାର ସମ୍ପୂର୍ଣ୍ଣ କ୍ଷମତା ମଧ୍ୟ ପ୍ରଦାନ କରାଯାଇଛି।
ପ୍ରଶାସନିକ ଅନୁମୋଦନ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ପୂର୍ବରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଥିବା ଅନୁମୋଦନ ସୀମାକୁ ବଢ଼ାଇ ୩ କୋଟି ଟଙ୍କା କରାଯାଇଛି। ୩ରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ ଚୁକ୍ତିସମ୍ପର୍କିତ ସ୍ଥାୟୀ କମିଟି, ୪ରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ ମହାନଗର ନିଗମ ଏବଂ ୫ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପକୁ ପ୍ରଶାସନିକ ବିଭାଗ ଅନୁମୋଦନ କରିବ।
କେବଳ ମହାନଗର ନିଗମ ନୁହେଁ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗୁଡ଼ିକୁ ମଧ୍ୟ ଅଧିକ ଆର୍ଥିକ ସ୍ୱାଧୀନତା ଦିଆଯାଇଛି। ନିର୍ବାହୀ ଅଧିକାରୀଙ୍କ ବିଲ୍ ପ୍ରଦାନ କ୍ଷମତା ୧୦ ଲକ୍ଷରୁ ବଢ଼ି ୨୦ ଲକ୍ଷ ଟଙ୍କା ହୋଇଛି। ୨୦ ଲକ୍ଷ ଟଙ୍କାରୁ ଅଧିକ ବିଲ୍ ପାଇଁ ନିର୍ବାହୀ ଅଧିକାରୀ ଏବଂ ପୌର ଅଧ୍ୟକ୍ଷଙ୍କ ଯୁଗ୍ମ ସ୍ୱାକ୍ଷର ଆବଶ୍ୟକ ହେବ। ସେମାନଙ୍କୁ ଦରମା ଓ ପେନ୍ସନ୍ ବିଲ୍ ଅନୁମୋଦନର ସମ୍ପୂର୍ଣ୍ଣ କ୍ଷମତା ମଧ୍ୟ ଦିଆଯାଇଛି।
ପ୍ରକଳ୍ପ ଅନୁମୋଦନ ସୀମା ମଧ୍ୟ ୧୦ ଲକ୍ଷରୁ ବଢ଼ି ୨୦ ଲକ୍ଷ ଟଙ୍କା କରାଯାଇଛି। ୨୦ ଲକ୍ଷରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ ପୌର ପରିଷଦ କିମ୍ବା NAC କାଉନ୍ସିଲ୍ ଅନୁମୋଦନ କରିବ, ଯେତେବେଳେ ୩ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ପାଇଁ ପ୍ରଶାସନିକ ବିଭାଗର ମଞ୍ଜୁରୀ ଆବଶ୍ୟକ ହେବ।
ସରକାରଙ୍କ ମତରେ, ଏହି ନୂତନ ବ୍ୟବସ୍ଥା ପୌରସଂସ୍ଥାଗୁଡ଼ିକୁ ଅଧିକ ଆର୍ଥିକ ସ୍ୱାୟତ୍ତତା ଦେବା ସହ ପ୍ରକ୍ରିୟାଗତ ବିଳମ୍ବକୁ ହ୍ରାସ କରିବ। ଫଳରେ ରାସ୍ତା, ଡ୍ରେନେଜ୍, ପାନୀୟ ଜଳ, ସ୍ୱଚ୍ଛତା, ଆଲୋକୀକରଣ ଓ ଅନ୍ୟାନ୍ୟ ନାଗରିକ ସୁବିଧା ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବ। ସହରାଞ୍ଚଳରେ ସୁଶାସନକୁ ସୁଦୃଢ଼ କରିବା ସହ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନେ କରାଯାଉଛି।