ବୌଦ୍ଧ: ଖାକିରେ ଲାଗିଛି ଦାଗ । ନିଜ କର୍ତ୍ତବ୍ୟକୁ ଭୁଲି ଅପରାଧୀଙ୍କ ସହ ସଙ୍ଗାତ ବସିବା ଆଇଆଇସି ମାଡାମଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଗଞ୍ଜେଇ ମାଫିଆଙ୍କ ସହିତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ପୂର୍ବତନ ଆଇଆଇସି ସୁସ୍ମିତା ମଗରଙ୍କୁ ନିଲମ୍ବିତ କରାଯାଇଛି ।
ସୋନପୁର ଏସପି ଗଞ୍ଜେଇ ଚୋରା ଚାଲାଣ କରୁଥିବା କିଛି ମାଫିଆଙ୍କୁ ଅଟକ ରଖି ମୋବାଇଲ ଯାଞ୍ଚ କରୁଥିବାବେଲେ ମାଫିଆଙ୍କ ୱାଟସ୍ଆପ୍ ଚାର୍ଟରେ ତତ୍କାଳୀନ ମନମୁଣ୍ଡା ଆଇଆଇସି ସୁସ୍ମିତା ମଗରଙ୍କ ନମ୍ବର ପାଇଥିଲେ । ଏ ନେଇ ସୋନପୁର ଏସପି ୧୭ ମାର୍ଚ୍ଚରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରିଥିଲେ । ବୌଦ୍ଧର ତତ୍କାଳୀନ ଏସପି ଆଇଆଇସି ମଗରଙ୍କୁ ୪ ଅପ୍ରେଲରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଗଞ୍ଜେଇ ମାଫିଆଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଗିରଫଦାରୀରୁ ବଞ୍ଚାଇବା ଅଭିଯୋଗରେ ୧୫ ଅପ୍ରେଲ ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସ୍ କରିଥିଲେ । କିନ୍ତୁ ଏହା ପରେ ଆଇଆଇସିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହା ପରେ ବିଭିନ୍ନ ଗଣମାଧ୍ୟମରେ ଏ ନେଇ ବାରମ୍ବାର ଖବର ପ୍ରସାରଣ ହେବା ପରେ ଓ ନୂତନ ବୌଦ୍ଧ ଏସପି କୁଲଦୀପ ମୀନା ଦାୟିତ୍ୱ ଗ୍ରହଣ କରିବା ପରେ ଆଇଆଇସି ମଗରଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିବା ସହିତ ରାଜ୍ୟ ପୋଲିସ ହେଡ୍ କ୍ୱାର୍ଟରକୁ ଏ ବିଷୟରେ ଜଣାଇଥିଲେ l
ଡିଜିପି ଏ ସଂକ୍ରାନ୍ତରେ ଅବଗତ ହେବା ପରେ ତୁରନ୍ତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତ ୨୦ ତାରିଖରେ ଆଇଆଇସି ସୁସ୍ମିତା ମଗରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।