କଟକ: କଟକ ଜିଲ୍ଲାର ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ହାତୀଖାନା ଗାଁରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ୍ ଫୋନକୁ କେନ୍ଦ୍ର କରି ମା'–ପୁଅଙ୍କ ମଧ୍ୟରେ ସାମାନ୍ୟ କଥାକଟାକଟି ପରେ ଦଶମ ଶ୍ରେଣୀର ଜଣେ ଛାତ୍ର ବିଷ ପିଇ ପ୍ରାଣ ହରାଇଥିବା ବେଳେ, ଏକମାତ୍ର ପୁଅର ମୃତ୍ୟୁ ସହିନପାରି ମା' ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ପୂରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ମୃତ ନାବାଳକ ହେଲେ ଆୟୁଷ୍ମାନ ସାହୁ (୧୫) ଓରଫ ସୋମ୍। ସେ ସ୍ୱର୍ଗତ ସୁବାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ଏବଂ ପୂର୍ବକଚ୍ଛ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀର ଛାତ୍ର ଥିଲେ। ପାଠପଢ଼ା ସହ ନୃତ୍ୟ କ୍ଷେତ୍ରରେ ମଧ୍ୟ ସେ ଦକ୍ଷ ଥିଲେ। ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲର 'ଟିକେ ଡ୍ୟାନ୍ସ, ଟିକେ ଆକ୍ଟିଂ' ପ୍ରତିଯୋଗିତାର ଜୁନିୟର ବର୍ଗରେ ପୁରସ୍କାର ମଧ୍ୟ ଜିତିଥିଲେ।
ଗୁରୁବାର ଥିଲା ସୋମଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏଥିପାଇଁ ପରିବାରରେ ରୀତିନୀତି ଚାଲିଥିବାରୁ ସୋମ୍ ସେଦିନ ସ୍କୁଲକୁ ଯାଇନଥିଲେ। ସକାଳ ପ୍ରାୟ ୯ଟା ସମୟରେ ସେ ମୋବାଇଲ୍ ଦେଖୁଥିବା ବେଳେ ମା' ତାଙ୍କୁ ବାରଣ କରି ଫୋନ୍ଟି ଲୁଚାଇ ଦେଇଥିଲେ। ଏହାକୁ ନେଇ ସୋମ୍ ରାଗିଯାଇ ଘରେ ଥିବା କୀଟନାଶକ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି।
କିଛି ସମୟ ପରେ ପରିବାର ଲୋକେ ସୋମଙ୍କୁ ଅଚେତ ଅବସ୍ଥାରେ ଦେଖି ପ୍ରଥମେ ଜଗତପୁରର ଏକ ଘରୋଇ ହସ୍ପିଟାଲ ଏବଂ ପରେ କଟକ ଏସ୍ସିବି ମେଡିକାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏକ ବର୍ଷ ପୂର୍ବରୁ ସ୍ୱାମୀଙ୍କୁ ହରାଇଥିବା ମା' ଏବେ ଏକମାତ୍ର ପୁଅର ମୃତ୍ୟୁ ଖବର ପାଇ ଭାଙ୍ଗିପଡ଼ିଥିଲେ। ଦୁଃଖ ସହିନପାରି ସେ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପଡ଼ୋଶୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଏହି ମର୍ମନ୍ତୁଦ ଘଟଣା ସମଗ୍ର ଗାଁକୁ ଶୋକାକୁଳ କରିଦେଇଛି।