ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଏଣିକି ଶ୍ରୀ ଜଗନ୍ନାଥ ଧାମର ଆଉ କେହି ଅପବ୍ୟବହାର କରିପାରିବେ ନାହିଁ । ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡ଼ିତ ଆଉ ପାଞ୍ଚଟି ନାମ ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠକୁ ଟ୍ରେଡ୍ ମାର୍କ ଅନୁମୋଦନ ମିଳିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ ପରେ ଆଉ ପାଞ୍ଚଟି ଟ୍ରେଡ୍ ମାର୍କ ଆବେଦନ ଆସନ୍ତା ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇଛି। ଏହି ଅନୁମୋଦନଗୁଡ଼ିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ପବିତ୍ର ନାମ ଓ ପରମ୍ପରାର ସୁରକ୍ଷା ତଥା ସେଗୁଡ଼ିକର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋଟ ୨୯ଟି ନାମ ଏବଂ ଲୋଗୋକୁ ନେଇ ଇଣ୍ଡିଆନ୍ ପେଟେଣ୍ଟ ଅଫିସରେ ଦରଖାସ୍ତ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୩ଟି ନାମ ଯଥା ଆନନ୍ଦ ବଜାର, ପତିତପାବନ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସରକାରୀ ନୀଳଚକ୍ର ଲୋଗୋକୁ ଅନୁମୋଦନ ମିଳିଛି । ଆହୁରି ୨୧ଟି ନାମ ପଞ୍ଜିକରଣ ସଂସ୍ଥା ପାଖରେ ବିଚାରାଧୀନ ରହିଛି ।