ଭୁବନେଶ୍ୱର: ରାଜ୍ୟରେ ପୁଣି ବଦଳିପାରେ ପାଗ। ଆସନ୍ତା ୩ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୫ଟି ଜିଲ୍ଲାରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ନାଓକାଷ୍ଟ ସତର୍କ ସୂଚନା ଜାରି କରିଛି। ଦିନ ୧ଟା ୩୦ ମିନିଟ୍ରେ ପ୍ରକାଶିତ ଏହି ସତର୍କବାର୍ତ୍ତା ଅନୁସାରେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଓ ରାୟଗଡ଼ା। ଏହି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ସହ ପବନର ବେଗ ମଧ୍ୟ ବଢ଼ିପାରେ।
ପାଣିପାଗ ବିଭାଗ ଲୋକଙ୍କୁ ପାଗର ପରିସ୍ଥିତି ଉପରେ ନଜର ରଖିବାକୁ ଓ ଅତ୍ୟାବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦେଇଛି। ବିଶେଷକରି ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଚାଷଜମି, ପୋଖରୀ, ନଦୀ କିମ୍ବା ଅନ୍ୟାନ୍ୟ ଜଳାଶୟ ନିକଟରେ ରହିବାକୁ ବାରଣ କରାଯାଇଛି। ସେହିପରି ବଡ଼ ଗଛ, ବିଦ୍ୟୁତ୍ ଖୁଣ୍ଟ ଓ ଉଚ୍ଚ ସଂରଚନା ତଳେ ଆଶ୍ରୟ ନେବା ମଧ୍ୟ ବିପଦଜନକ ବୋଲି IMD ସଚେତନ କରିଛି।
ଗ୍ରାମାଞ୍ଚଳର ଲୋକ, ଚାଷୀ, ମାଛଧରାଳି ଏବଂ ବାହାରେ କାମ କରୁଥିବା ଶ୍ରମିକମାନେ ବିଶେଷ ସତର୍କ ରହିବାକୁ କୁହାଯାଇଛି। ବଜ୍ରପାତ ଆରମ୍ଭ ହେଲେ ସୁରକ୍ଷିତ ପକ୍କା ଘର ଭିତରେ ଆଶ୍ରୟ ନେବା ଏବଂ ମୋବାଇଲରେ ପାଣିପାଗ ସମ୍ବନ୍ଧୀୟ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।