ବଲାଙ୍ଗିର: ଲୋୟର ସୁକତେଲ ଜଳ ପ୍ରକଳ୍ପ ବିବାଦ ବଢ଼ିବାରେ ଲାଗିଛି । ପ୍ରଶାସନର ତମାମ ଚେଷ୍ଟା ସତ୍ୱେ ଜିଦରେ ଅଟଳ କୁମିଆଁପାଲି ଗ୍ରାମବାସୀ । ସେପଟେ ଜଳ ଭଣ୍ଡାର ପୂର୍ଣ୍ଣ ହେଉଥିବାବେଳେ ଏପଟେ ଗ୍ରାମବାସୀ ଭିଟାମାଟି ଛାଡ଼ିବାକୁ ନାରାଜ । ଶେଷରେ ଗତକାଲି ୬ ଜଣ ମୁଖିଆଙ୍କୁ ରାତି ଅଧିଆ ଉଠାଇ ନେଇଛି ପୋଲିସ ।
ଗତ ୨୧ ତାରିଖ ସୁଦ୍ଧା ଗାଁ ଖାଲି କରିବାକୁ ପ୍ରଶାସନ ନୋଟିସ୍ ଜାରି କରିଥିଲା । ମାତ୍ର କୁମିଆଁପାଲି ଗାଁ ଲୋକେ ୮୪ ପରିବାର ଘର ଛାଡ଼ିବେନି ବୋଲି ଜିଦରେ ଅଟଳ ରହିଛନ୍ତି । ପୋଲିସ ପ୍ରଶାସନ ଦୁଇ ଦିନ ହେଲାଣି ଗାଁ ଯାଇ ଖାଲି ହାତରେ ଫେରୁଛି । ଅନ୍ୟପକ୍ଷେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପାଣି ବୃଦ୍ଧି ପାଇବାରେ ଲାଗିଛି । ଯାହା ଏକ ବଡ଼ ଚିନ୍ତାର କାରଣ ପାଲଟିଛି । ଶେଷରେ ଗତକାଲି ରାତିରେ ଧାରଣାର ନେତୃତ୍ୱ ନେଉଥିବା କୁମିଆଁପାଲିର ୬ଜଣ ମୂରବୀଙ୍କୁ ପୋଲିସ ଉଠାଇ ନେଇଛି । ଫଳରେ କୁମିଆଁପାଲିରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପ୍ରଶାସନର ଏଭଳି ରାତିଅଧିଆ ଜବରଦସ୍ତି କାର୍ଯ୍ୟାନୁଷ୍ଠାନକୁ ଗାଁ ଲୋକେ ତିବ୍ର ବିରୋଧ କରୁଛନ୍ତି।
୨୦୨୪ ମସିହାରେ ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟିତ ହୋଇଥିଲା । ଏହା ପୂର୍ବରୁ ଅନେକ ବାଦ ବିବାଦ ଭିତରେ ଏହି ପ୍ରକଳ୍ପ କାମ ତତ୍କାଳିନ ସରକାର ସଂପୂର୍ଣ୍ଣ କରିଥିବା ବେଳେ ବିସ୍ଥାପନ ସମସ୍ୟା ସମାଧାନ ହୋଇନାହିଁ । ଏହି ପ୍ରକଳ୍ପ ଦ୍ୱାରା ୨୯ ଖଣ୍ଡ ଗାଁ ପ୍ରଭାବିତ ହୋଇଛନ୍ତି । କିନ୍ତୁ ତବଲବାଞ୍ଜି, କୁମିଆପାଲି ଓ ଖୁଣ୍ଟପାଲି ଗ୍ରାମର ଶତାଧିକ ପରିବାର ଗାଁ ଛାଡିନଥିଲେ । ପ୍ରଶାସନ ସେମାନଙ୍କୁ ଗାଁ ଛାଡିବାକୁ ନେଇ ନୋଟିସ ଜାରି କରିଥିଲା । ସେମାନଙ୍କ ଦାବି ଯେ ଉପଯୁକ୍ତ ଥଇଥାନ ନୀତିରେ ଥଇଥାନ କରାଯାଉନାହିଁ । ସେଥିପାଇଁ ସେମାନେ ଥଇଥାନ ଆଇନ ୨୦୧୩ ଅନୁସାରେ ୨୦୨୬ ସୁଦ୍ଧା ୧୮ ବର୍ଷର ବ୍ୟକ୍ତିଙ୍କୁ କ୍ଷତିପୂରଣ ପ୍ରଦାନ, ଜମି ବଦଳ ରେ ଜମି ପ୍ରଦାନ କରିବାକୁ ଦାବି କରିଥିଲେ ।