ପୁରୀ: ବୁଧବାର ଶରଧାବାଲିରେ ଛିଡ଼ା ହୋଇଥିବା ତିନି ରଥ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଶେଷ ହୋଇଛି । ଏହା ପରେ ସମସ୍ତ ରଥର ଯାଞ୍ଚ କରାଯିବ ।
ଗତକାଲି ଦର୍ପଦଳନ ରଥର ମୋଡ଼ ବଦଳାଇ ଶ୍ରୀମନ୍ଦିର ମୁଖା କରାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଏବଂ ସନ୍ଧ୍ୟା ହୋଇଯିବାରୁ କେବଳ ଗୋଟିଏ ରଥର ମୋଡ଼ ବଦଳାଇବା ସମ୍ଭବପର ହୋଇପାରିଥିଲା । ଆଜି ପ୍ରଥମେ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ କରାଯାଇଥିଲା । ଭକ୍ତମାନେ ତାଳଧ୍ୱଜ ରଥକୁ ନାକଚଣା ଦ୍ୱାର ନିକଟକୁ ଟାଣି ଟାଣି ନେଇଥିଲେ । ଏହା ପରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା । ଶେଷରେ ନନ୍ଦିଘୋଷକୁ ନାକଚଣା ଦ୍ୱାର ନିକଟକୁ ନିଆଯାଇଥିଲା । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ, ପୋଲିସ ପ୍ରଶାସନ ଏଥିରେ ସାମିଲ ହୋଇଥିଲେ । ଘଣ୍ଟୁଆ ସେବକଙ୍କ ଘଣ୍ଟ ଘଣ୍ଟା ନାଦରେ ରଥ ଟଣା ଯାଇଥିଲା । ବର୍ଷା ହେଉଥିବାରୁ ଏବଂ ବାଲି ଓଦା ଥିବାରୁ ମୋଡ଼ ବଦଳାଇବା ବହୁତ କଷ୍ଟକର ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।
ପରମ୍ପରା ଅନୁସାରେ ପ୍ରଥମେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ଟଣା ଯାଇଥାଏ । କିନ୍ତୁ ଦକ୍ଷିଣ ମୋଡ଼ ସମୟରେ ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ମୁହାଁ କରାଯାଇଥାଏ ।