ଭୁବନେଶ୍ୱର: ଓଡ଼ିଶାରେ ପୁଣି ଥରେ ବଡ଼ ଶିଳ୍ପ ନିବେଶକୁ ସବୁଜ ସଙ୍କେତ ମିଳିଛି। ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ମୋଟ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୧୧ଟି ଜିଲ୍ଲାରେ ୨୨,୮୭୩ରୁ ଅଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସବୁଠାରୁ ବଡ଼ ଆକର୍ଷଣ ଥିଲା HCL Technologies ଓ ACME Cleantech Solutionsର ପ୍ରସ୍ତାବ। HCL Technologies ଖୋର୍ଦ୍ଧାରେ ୭୩୦ କୋଟି ଟଙ୍କା ବ୍ୟୟରେ ଏକ ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟର ସ୍ଥାପନ କରିବ। ଏହି ପ୍ରକଳ୍ପ ଦ୍ୱାରା ୬,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି ହେବ। ଏହା ଓଡ଼ିଶାର ଆଇଟି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ସେହିପରି ACME Cleantech Solutions ଗଞ୍ଜାମରେ ୭୭୮ କୋଟି ଟଙ୍କା ବିନିଯୋଗରେ ପ୍ରତିବର୍ଷ ୩ ଗିଗାୱାଟ କ୍ଷମତା ବିଶିଷ୍ଟ ଆଲକାଲାଇନ୍ ଇଲେକ୍ଟ୍ରୋଲାଇଜର ଉତ୍ପାଦନ କାରଖାନା ସ୍ଥାପନ କରିବ। ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ କରିବାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ।
ଏଥିସହିତ ବସ୍ତ୍ର ଓ ପୋଷାକ ଶିଳ୍ପରେ ମଧ୍ୟ ରାଜ୍ୟକୁ ବଡ଼ ନିବେଶ ଆସିଛି। SAPL Industries, SPL Industries, Richa Global Exports ଓ Astha Cotspinର ୪ଟି ପ୍ରକଳ୍ପରେ ୫୧୨ କୋଟି ଟଙ୍କାରୁ ଅଧିକ ବିନିଯୋଗ ହେବା ସହ ପ୍ରାୟ ୧୦,୪୦୦ ଜଣଙ୍କୁ ଚାକିରି ମିଳିବ। ଏହା ଦ୍ୱାରା ପୁରୀ ବସ୍ତ୍ର ଉତ୍ପାଦନ କ୍ଷେତ୍ରରେ ନିଜର ସ୍ଥାନକୁ ଆହୁରି ମଜବୁତ କରିବ।
ଏହାଛଡ଼ା କଟକରେ GGB Battery India Pvt Ltd ପକ୍ଷରୁ ୨୦୨.୫ କୋଟି ଟଙ୍କାର ଜିଙ୍କ ଆନୋଡ୍ ବ୍ୟାଟେରୀ କାରଖାନା, ଅନୁଗୋଳରେ Envirocare Infrasolution ପକ୍ଷରୁ ୧୦୦ ମେଗାୱାଟର ସୋଲାର ପାୱାର ପ୍ଲାଣ୍ଟ, କେନ୍ଦୁଝରରେ ଟାଟା ଷ୍ଟିଲ୍ର ରେଳ ସାଇଡିଂ ପ୍ରକଳ୍ପ, ସୁନ୍ଦରଗଡ଼ ଓ ଢେଙ୍କାନାଳରେ ଲଜିଷ୍ଟିକ୍ସ ପାର୍କ, କଟକରେ ୩୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍ ଏବଂ କଟକ, ସମ୍ବଲପୁର ଓ ଖୋର୍ଦ୍ଧାରେ ଥ୍ରି ଫାଇଭ୍-ଷ୍ଟାର ହୋଟେଲ୍ ପ୍ରକଳ୍ପକୁ ମଧ୍ୟ ସବୁଜ ସଙ୍କେତ ମିଳିଛି।
ଏହି ନୂଆ ବିନିଯୋଗ ପ୍ରସ୍ତାବଗୁଡ଼ିକ ଓଡ଼ିଶାର ଶିଳ୍ପ ବିକାଶକୁ ନୂଆ ଗତି ଦେବା ସହ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି କରିବ। ଆଇଟି, ଗ୍ରୀନ୍ ଏନର୍ଜି, ମାନୁଫାକ୍ଚରିଂ, ଟେକ୍ସଟାଇଲ୍, ସ୍ୱାସ୍ଥ୍ୟ ଓ ଲଜିଷ୍ଟିକ୍ସ ଭଳି ବିଭିନ୍ନ କ୍ଷେତ୍ରରେ ବୃହତ୍ ନିବେଶ ରାଜ୍ୟର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।